Categories: ବାଣିଜ୍ୟ

ମାଇକେଲ୍‌ ଦେବବ୍ରତ ପାତ୍ର ଆର୍‌ବିଆଇର ନୂଆ ଡେପୁଟି ଗର୍ଭନର

ନୂଆଦିଲ୍ଲୀ,୧୫-୧: ମାଇକେଲ ଦେବବ୍ରତ ପାତ୍ର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ନୂଆ ଡେପୁଟି ଗଭର୍ନର ଭାବେ ଅବସ୍ଥାପିତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏନେଇ ସୂଚନା ଦିଆଯାଇଛି। ସେ ବର୍ତ୍ତମାନ ଆର୍‌ବିଆଇର ମୁଦ୍ରାନୀତି ବିଭାଗରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ପଦବୀରେ କାର୍ଯ୍ୟ କରୁଛନ୍ତି। ନୂଆ ପଦବୀରେ ତାଙ୍କୁ ୩ ବର୍ଷ ଲାଗି ନିଯୁକ୍ତି ମିଳିଛି। ରିଜର୍ଭ ବ୍ୟାଙ୍କରେ ଏବେ ୩ ଜଣ ଡେପୁଟି ଗର୍ଭନର ଅଛନ୍ତି। ପାତ୍ରଙ୍କ ନିଯୁକ୍ତି ପରେ ଏହା ୪କୁ ବଢିଛି। ଗତ ବର୍ଷ ଜୁନରେ ଡେପୁଟି ଗଭର୍ନର ପଦବୀରୁ ଭିରାଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ଏହି ପଦବୀରେ କାହାକୁ ନିଯୁକ୍ତି ଦିଆଯାଇ ନ ଥିଲା। ଆଚାର୍ଯ୍ୟଙ୍କ ସ୍ଥାନରେ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମୁଦ୍ରାନୀତି ବିଭାଗର ସେ ନେତୃତ୍ୱ ନେବେ ବୋଲି ଜଣାପଡିଛି। ଏବେ ରିଜର୍ଭ ବ୍ୟାଙ୍କରେ ଗଭର୍ନର ପଦବୀରେ ଶକ୍ତିକାନ୍ତ ଦାସ ଅବସ୍ଥାପିତ ଅଛନ୍ତି। ଏହାବାଦ ୪ ଡେପୁଟି ଗଭର୍ନର ମଧ୍ୟ ଅଛନ୍ତି। ଏନ୍‌.ଏସ୍‌. ବିଶ୍ୱନାଥନ, ବି.ପି.କାନୁନଗୋ, ଏମ୍‌.କେ ଜୈନଙ୍କ ସହ ପାତ୍ର ନୂଆ ଡେପୁଟି ଗଭର୍ନର ଭାବେ କାର୍ଯ୍ୟ କରିବେ। ମାଇକେଲ ପାତ୍ର ଓଡିଶାର କଟକରେ ଜନ୍ମଗ୍ରହଣ କରିଥିବା ବେଳେ ରେଭେନ୍‌ସାରୁ ଅର୍ଥନୀତିରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆପ୍ଲାଏଡ ଇକୋନୋମିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୮୫ଠାରୁ ରିଜର୍ଭ ବ୍ୟାଙ୍କରେ କାମ କରୁଛନ୍ତି।

Share