ମାଇନସ୍‌ ୫୨ ଡିଗ୍ରୀରେ ଦୌଡିଲେ ମାରାଥନ ଧାବକ: ଚେହେରାରେ ଜମିଗଲା ବରଫ

ବେଜିଂ,୨୮।୧୨: ଉତ୍ତର ଚାଇନାର ମଙ୍ଗୋଲିଆ ନିକଟରେ ଥିବା ଜେନେ ସହରରେ ୨୦୧୯ର ଚାଇନା ପୋଲ ଅଫ୍‌ କୋଲ୍ଡ ମାରାଥନର ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୧୫ଶହ ପ୍ରତିଯୋଗୀ ଦୌଡିଥିଲେ। ବୁଧବାର ଆୟୋଜିତ ଏହି ପ୍ରତିଯୋଗୀତା ସମୟରେ ସେଠାକାର ତାପମାତ୍ରା ଥିଲା ମାଇନସ୍‌ ୫୨ରୁ ୫୩ ଡିଗ୍ରୀ ସେଲସିୟସ୍‌। ସେଥିପାଇଁ ଏଥିରେ ଭାଗ ନେଇଥିବା ଧାବକମାନଙ୍କ ଦେହରେ ବରଫ ଜମି ଯାଇଥିଲା। ଥଣ୍ଡାରୁ ମୁକ୍ତି ପାଇଁ ଏମାନେ ମୋଟା କପଡା ପିନ୍ଧିଥିଲେ ସତ ହେଲେ ସେମାନଙ୍କ ଉପରେ ବରଫର ଆସ୍ତରଣ ଦେଖି କୌତୂହଳ ପ୍ରକାଶ ପାଇଥିଲା।

ଆୟୋଜନଙ୍କ କହିବା କଥା ହେଲା ଉକ୍ତ ଅଞ୍ଚଳ ବରଫପାତର ଏକ ପ୍ରମୁଖ ଅଞ୍ଚଳ ଭାବେ ପରିଚିତ। ଆଉ ପ୍ରତିବର୍ଷ ସେଠାରେ ପୋଲ ଅଫ୍‌ କୋଲ୍ଡ ମାରାଥନର ଆୟୋଜନ କରାଯାଇଥାଏ। ଏହା ଚାଇନାର ସବୁଠାରୁ ଥଣ୍ଡା ଅଞ୍ଚଳ ହୋଇଥିବା ବେଳେ ଏଠାରେ ମାଇନସ୍‌ ୫୮ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ତାପମାତ୍ରା ରେକର୍ଡ କରାଯାଇଛି। ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ପ୍ରତିଯୋଗୀ ପୂର୍ବରୁ ମାଇନସ୍‌ ୪୦ ଡିଗ୍ରୀରେ ଦୌଡିଥିବା ବେଳେ ଚଳିତ ବର୍ଷ ମାଇନସ୍‌ ୫୨ଡିଗ୍ରୀରେ ଦୌଡିଛନ୍ତି।

Share