ମାଉସୀ ମା’ ପୋଡ଼ପିଠାକୁ ଅପେକ୍ଷା

ପୁରୀ ଅଫିସ, ୧୦ା୭: ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ଅଭିରୁଚି। ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ। ବର୍ତ୍ତମାନ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ବାହୁଡ଼ା ଯାତ୍ରା ଦିନ ମାଉସୀ ମା’ ପାଖରୁ ପୋଡ଼ ପିଠା ଖାଇବେ ମହାପ୍ରଭୁ। ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ଭାଦ୍ରବ ମାସ ଅମାବାସ୍ୟା ପୂର୍ବଦିନ ମହାପ୍ରଭୁ ଦେବୀ ଦକ୍ଷିଣକାଳୀଙ୍କୁ ଆଜ୍ଞାମାଳ ଦେଇ ସାତପୁରୀ ପିଠା କରିବା ପାଇଁ ଆଜ୍ଞା ଦେଇଥାନ୍ତି। ତାଙ୍କ ଆଜ୍ଞାକୁ ପାଳନ କରି ଦେବୀ ଦକ୍ଷିଣକାଳୀ ଅମାବାସ୍ୟା ଦିନ ତିନୋଟି ତାଡ଼ରେ ସାତ ପ୍ରକାର ପୁରଦିଆ ସୁଆଦିଆ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଖୁଆଇଥାନ୍ତି। ସେହିପରି ମକର ସଂକ୍ରାନ୍ତି ଦିନ ସ୍ବୟଂ ମହାଲକ୍ଷ୍ମୀ ୮୪ ପ୍ରକାରର ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ମଣୋହି କରାଇଥାନ୍ତି। ଏହାବ୍ୟତୀତ ଠାକୁରଙ୍କ ପାଖରେ ପ୍ରତିଦିନ ବିଭିନ୍ନ ପ୍ରକାର ପିଠା ଭୋଗ ଲାଗିଥାଏ। ଏସବୁ ସତ୍ତ୍ବେ ମାଉସୀ ମା’ଙ୍କଠାରୁ ପୋଡ଼ପିଠା ଖାଇବା ପାଇଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଆଷାଢ ଶୁକ୍ଳ ଦ୍ୱିତୀୟାରେ ନବନିର୍ମିତ ତିନିରଥରେ ଘୋଷଯାତ୍ରାରେ ଆସି ଜନ୍ମବେଦିରେ ୭ଦିନ ରହିବା ପରେ ନବମ ଦିନ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥାନ୍ତି। ଏପଟେ ମାଉସୀ ମା’ ମଧ୍ୟ ପିଲାମାନଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି। ରଥଗୁଡ଼ିକ ମାଉସୀ ମା’ ମନ୍ଦିର ପାଖରେ ଅଟକିଯାଏ। ମାଉସୀ ମା’ଙ୍କ ପକ୍ଷରୁ ସେଠାରେ ଛେନା ପୋଡ଼ପିଠା ଭୋଗ ଲାଗେ। ଏହି ଭୋଗର ପ୍ରସ୍ତୁତି ହେରା ପଞ୍ଚମୀଠାରୁ ଆରମ୍ଭ ହୋଇଥାଏ। ଅଟା, ଛେନା, ଚିନି, ଘିଅ ପ୍ରଭୃତି ସାମଗ୍ରୀ ଦ୍ୱାରା ମାଟିହାଣ୍ଡିରେ ଚୁଲିରେ ବସାଇ ଏକ ସ୍ବତନ୍ତ୍ର ଶୈଳୀରେ ଏହି ପିଠା ପ୍ରସ୍ତୁତ ହୋଇଥାଏ। ବାହୁଡା ଯାତ୍ରା ଦିନ ଠାକୁରମାନଙ୍କ ତିନିରଥରେ ଭୋଗ ଲାଗିବା ପରେ ଭକ୍ତମାନେ ଏହି ପୋଡ଼ପିଠା ପାଇ ଧନ୍ୟ ମଣିଥାନ୍ତି।

Share