ମାଉସୀ ମା’ ପୋଡ଼ପିଠା ଖାଇଲେ ମହାପ୍ରଭୁ

ପୁରୀ ଅଫିସ, ୧୩।୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋଜନ ପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ରୁଚି। ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ। ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡିବା ବେଳେ ବାଟରେ ଅଟକି ମାଉସୀ ଘର ପୋଡ଼ପିଠା ଖାଇଛନ୍ତି ଠାକୁର।
ପ୍ରଥମେ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ବଡ଼ ଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଥିଲା। ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରଙ୍କ ରଥରୁ ଏକ ଲାଗିମାଳ ଅଣାଯାଇ ଅର୍ଦ୍ଧଶୋଷଣୀଙ୍କୁ ଲାଗି କରାଯାଇଥିଲା। ଏହାପରେ ମାଉସୀ ଘର ପୋଡ଼ ପିଠା ଖାଇ ଠାକୁର ଶ୍ରୀମନ୍ଦିର ଅଭିମୁଖେ ବାହୁଡିଥିଲେ। ମହାପ୍ରଭୁଙ୍କୁ ପୋଡ଼ପିଠା କିଏ ଖୁଆଇବ ସେ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାହା ମଧ୍ୟ ଆଜି ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। ମାଉସୀ ମା’ ମନ୍ଦିରରେ ପ୍ରସ୍ତୁତ ପୋଡ଼ ପିଠାକୁ ବିଶ୍ୱନାଥ ମିଶ୍ର ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ। ସେହିପରି ମନ୍ଦିର ନିକଟରେ ମନୋରଞ୍ଜନ ମିଶ୍ର ମଧ୍ୟ ପୋଡ଼ପିଠା ଠାକୁରଙ୍କୁ ସମର୍ପି ଦେଇଥିଲେ। ହେଲେ ଦୁଇଜଣ ପୋଡ଼ପିଠା ସମର୍ପି ଦେବା ଘଟଣା ଭକ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା ଠାକୁର କାହା ପାଖରୁ ଖାଇଲେ ପୋଡ଼ପିଠା।

Share