ମାଓବାଦୀଙ୍କ ଗୁଳିରେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟଣା : ସଂଯୁକ୍ତାଙ୍କ ସ୍ବାମୀଙ୍କୁ ମିଳିଲା ୩୦ ଲକ୍ଷ

ଫିରିଙ୍ଗିଆ, ୨୯।୬-ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଳଙ୍କ ମୃତ୍ୟୁ ଘଟିଥିଲା। ମୃତ ସଂଯୁକ୍ତାଙ୍କ ସ୍ବାମୀ ଜିମେନ୍ଦ୍ର ଦିଗାଲଙ୍କୁ ସରକାରୀ ସହାୟତା ମିଳିଛି। ଜିଲା ପ୍ରଶାସନର ଏକ ଟିମ୍‌ ଜିମେନ୍ଦ୍ରଙ୍କ ଘରକୁ ଯାଇ ୩୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ତାଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯିବ ବୋଲି ବିଡିଓ ପ୍ରବୀଣ କୁମାର ବାଣୁଆ ପ୍ରକାଶ କରଛନ୍ତି। ଚେକ୍‌ ପ୍ରଦାନ ବେଳେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ତହସିଲଦାର ପୁନମ ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ୍ମ ଚରଣ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ପୋଲିଂ ପାଟି ଚେକିଂ ପାଇଁ ଏକ ଗାଡିରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପ୍ରକାଶ ଦାସ, ମେସେଞ୍ଜର ତଥା ଜିଆରଏସ୍‌ ସଂଯୁକ୍ତା ଏବଂ ଅନ୍ୟମାନେ ଯାଉଥିଲେ। ବାଲନ୍ଦାପଡାଠାରୁ ୧୦/୧୨ କିମି ଦୂର ବାରାହାଲାଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଡ୍ରାଇଭର ତୁରନ୍ତ ଗାଡି ଅଟକାଇ ପଛକୁ ବୁଲାଇ ଫେରିବାକୁ ଚେଷ୍ଟା କଲା ବେଳେ ଗୁଳି ଫୁଟିଥିଲା। ଗୁଳିଟି ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା। ଡ୍ରାଇଭର ଗାଡି ନ ଅଟକାଇ ବାଲନ୍ଦାପଡା ଡାକ୍ତରଖାନାକୁ ଆସିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Share