ମାଓବାଦୀଙ୍କ ଗୁଳିରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ମାମଲା: ଏନ୍‌ଏଚ୍‌ଆର୍‌ସିଙ୍କୁ ରିପୋର୍ଟ ଦେଲେ କନ୍ଧମାଳ ଏସ୍‌ପି

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ୨୦୧୯ ନିର୍ବାଚନ ପରିଚାଳନା ପାଇଁ ବୁଥ୍‌କୁ ଯାଉଥିବାବେଳେ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟିଥିଲା। ସଂଯୁକ୍ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ମାନବାଧିକାର କର୍ମୀ ସୁଜିତ ସାହୁ ଗତ ଏପ୍ରିଲ ୧୭ରେ ଅଭିଯୋଗ କରିଥିଲେ। ଏ ନେଇ ଏନ୍‌ଏଚ୍‌ଆର୍‌ସିରେ କେସ୍‌ ନଂ. ୧୫୪୩/୧୯ ରୁଜୁ ହୋଇ ଶୁଣାଣି ଆରମ୍ଭ ହୋଇଥିଲା। ମୃତ ସଂଯୁକ୍ତାଙ୍କ ପରିବାର ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମେତ ପୂରା ଘଟଣାର ରିପୋର୍ଟ ଦେବାକୁ ମାନବାଧିକାର କମିଶନର କନ୍ଧମାଳ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶ ପାଇବା ପରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଘଟଣାର ପୁଙ୍ଖାନୁଫୁଙ୍ଖ ତଦନ୍ତ କରିବା ସହ ମୃତ ସଂଯୁକ୍ତାଙ୍କ ପରିବାର ଲୋକଙ୍କ ପାଇଁ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଧାର୍ଯ୍ୟ ପରିମାଣର କ୍ଷତିପୂରଣ ଦିଆଯିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏ ନେଇ କେତେକ ସରକାରୀ କାଗଜପତ୍ର କାମ ଚାଲିଛି, ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ତାଙ୍କ ସ୍ବାମୀଙ୍କୁ ଚାକିରି ଦିଆଯିବ ବୋଲି ଏସ୍‌ପି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିବା ଜଣାପଡ଼ିିଛି। ଶାଶୁଘର ଓ ବାପଘର ଲୋକଙ୍କର ଏକମାତ୍ର ସାହାରା ଥିଲେ ସଂଯୁକ୍ତା। ତାଙ୍କର ମୃତ୍ୟୁ ଘଟିବା ପରେ ପରିବାର ଲୋକେ ବେସାହାରା ହୋଇଯାଇଥିଲେ। କେହି ରୋଜଗାରିଆ ନ ଥିବାରୁ ଦୁଇ ପରିବାରରେ ଆର୍ଥତ୍କ ସମସ୍ୟା ଦେଖାଦେଇଥିଲା। କ୍ଷତିପୂରଣ ସହ ସ୍ବାମୀଙ୍କୁ ସରକାରୀ ଚାକିରି ମିଳିବ ବୋଲି ଖବର ଶୁଣିବା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଥିଲା। ନିଜ ଡ୍ୟୁଟି ପଡ଼ିିଥିବା ସ୍ଥାନକୁ ସଂଯୁକ୍ତା ଏବଂ ଅନ୍ୟ ୩ଜଣ ଏକ ବୋଲେରେରେ ଏପ୍ରିଲ ୧୭ରେ ଯାଉଥିଲେ। ବାରାହାଲା ନିକଟ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଅଧାରାସ୍ତାରେ ଡ୍ରାଇଭର ଜାଣିପାରି ଗାଡ଼ି ପଛକୁ ନେଇଥିଲେ। ଏହି ସମୟରେ ମାଓବାଦୀମାନେ ଗୁଳି ମାଡ଼ କରିଥିଲେ। ଅନ୍ୟ ୩ଜଣ ଭୟରେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇଥିବାବେଳେ ସଂଯୁକ୍ତା ଓହ୍ଲାଇ ପାରି ନ ଥିଲେ। ମୁଣ୍ଡରେ ଗୁଳି ବାଜି ଟଳିପଡ଼ିଥିଲେ।

Share