ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ : କୋମ୍ବିଂ ଅପରେଶନ ଜୋରଦାର, ସରକାରୀ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା ଅଫିସ,୨।୧୨: ମାଓବାଦୀ ସଂଗଠନ ପକ୍ଷରୁ ସୋମବାରଠାରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଥିବା ବେଳେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ବିଶେଷକରି ନିୟମଗିରି ଅଞ୍ଚଳରେ ମାଓବାଦୀ ସଂଗଠନର ଦବ୍‌ଦବା ରହିଥିବାରୁ କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ାର ଦୁର୍ଗମ ଡଙ୍ଗରିଆ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ପୋଲିସ ଯାନବାହନ ଯାଞ୍ଚ କରୁଥିବା ବେଳେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ସୀମାନ୍ତରେ ସିଆର୍‌ପିଏଫ ଓ ଏସ୍‌ଓଜି ଯବାନଙ୍କୁ ନିୟୋଜିତ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ସଜାଗ ଥିବା ସୂଚନା ମିଳିଛି ।
ଅନ୍ୟପଟେ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଓଏସ୍‌ଆର୍‌ଟିସି ପକ୍ଷରୁ ସମସ୍ତ ସରକାରୀ ବସ୍‌ ଚଳାଚଳକୁ ରବିବାର ମଧ୍ୟରାତ୍ରିରୁ ବନ୍ଦ ରଖାଯାଇଛି। ରାୟଗଡ଼ା ସଦର ମହକୁମାରୁ ୮ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିଛି । କିଛି ଅଞ୍ଚଳରେ ବେସରକାରୀ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।