ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ : ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ସରକାରୀ ବସ୍‌ ଚଳାଚଳକୁ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ିଠାରୁ ଭଞ୍ଜନଗର, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, ହାତିମୁଣ୍ଡାଠାରୁ ଫୁଲବାଣୀକୁ ବସ୍‌ ଚଳାଚଳ ବନ୍ଦ ରହିଛି। ଜାତୀୟ ସମ୍ପତ୍ତି ଏବଂ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ଏହି ବନ୍ଦ କରାଯାଇଥିବା କୁହାଯାଇଛି। ତେବେ ଅଞ୍ଚଳରେ କୌଣସି ସ୍ଥାନରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଲାଗି ନ ଥିବାରୁ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ପୋଲିସ ଆଶଙ୍କା କରିଛି। ସେପଟେ ପୋଲିସ ପକ୍ଷରୁ ଦିନରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାନବାହନ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଗତବର୍ଷ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ଜନସଚେତନତା ପାଇଁ ମାଓବାଦୀଙ୍କ କାର୍ଯ୍ୟକଳାପ ବେଆଇନ ଭାବେ ଦର୍ଶାଯାଇ ମାଓପୋଷ୍ଟର ଛପାଯାଇଥିବା ବେଳେ ଚଳିତଥର ମାଓବାଦୀ କିମ୍ବା ପୋଲିସ ପକ୍ଷରୁ ପୋଷ୍ଟର ୱାର ହୋଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ୨୧ରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର ଉକ୍ତ ଥାନା ବୁଡାଗୁଡ଼ା ଛକରେ ଲଗାଯାଇ ନିଜ ଉପସ୍ଥିତି ଜାହିର କରିଥିବା ବେଳେ ପକାଲଡାମି ଘାଟିରେ ଚଳିତବର୍ଷ ଜାନୁଆରୀ ୩୧ରେ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଓଡ଼ିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ପକ୍ଷରୁ ମାଓପୋଷ୍ଟର ଲଗାଇ ଉପସ୍ଥିତି ଜାହିର କରାଯାଇଥିଲା। ସେହିଦିନ ଠାରୁ ଅଦ୍ୟାବଧି ମାଓବାଦୀଙ୍କ କୌଣସି ପୋଷ୍ଟର ଲାଗି ନ ଥିବା ଜଣାପଡ଼ିଛି। ତେବେ ଅଞ୍ଚଳରେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଯାନବାହନ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି।

Share