ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର ନକ୍ସଲ ଆସି ନିୟମଗିରି ପାହାଡର ବୁଡୁଣୀଠାରୁ ଗୁମ୍ମା ଗ୍ରାମକୁ ହେଉଥିବା ରାସ୍ତା ନିର୍ମାଣକୁ ବିରୋଧ କରିବା ସହ ଠିକା କ୍ୟାମ୍ପରେ ପଶି ଶ୍ରମିକମାନଙ୍କୁ ବନ୍ଧୁକ ମୁନରେ ଭୟଭୀତ କରିଥିଲେ। ପରେ ୨ଜଣ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। କିଛି ସମୟ ପରେ ଠିକା କାମରେ ନିୟୋଜିତ ଥିବା ଦୁଇଟି ଜେସିବି, ଗୋଟିଏ ରୋଲର ଓ ଗୋଟିଏ ମିଚୋର ମେସିନ ପୋଡ଼ି ଦେଇଛନ୍ତି। ଏହାସହ ଘଟଣାସ୍ଥଳରେ ୩ଟି ମାଓବାଦୀ ପୋଷ୍ଟର ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏହାସହ ରାସ୍ତାକାମକୁ ବିରୋଧ କରିବା ସହ ଓ ଉଭୟ ଶ୍ରମିକ ଓ ଠିକାଦାରଙ୍କୁ ହତ୍ୟା ଧମକ ଦିଆଯାଇଛି । ମାଓବାଦୀଙ୍କ ଲଙ୍କାକଣ୍ଡ ପରେ ଉକ୍ତ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାପଡିଛି।

Share