ମାଓବାଦୀ ଅଞ୍ଚଳ ବୁଲିଲେ ସିଆର୍‌ପିଏଫ୍‌ ଡିଜି

ଭୁବନେଶ୍ୱର,୧।୨(ବ୍ୟୁରୋ): ସିଆର୍‌ପିଏଫ୍‌ ଡିଜି ଏ.ପି. ମାହେଶ୍ୱରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ମାଲକାନଗିରି, କୋରାପୁଟ ଆଦି ରାଜ୍ୟର ବିଭିନ୍ନ ମାଓବାଦୀ ପ୍ରଭାବିତ ଜିଲା ବୁଲିଛନ୍ତି। କ୍ଷେତ୍ରୀୟ ଅନୁଧ୍ୟାନ ସହ ମାଓବାଦୀ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓବାଦୀ ଦମନରେ ରହୁଥିବା ତ୍ରୁଟିର ସୁଧାର ଆଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମାଓବାଦୀଙ୍କ ନୂଆ ନୂଆ ରଣନୀତିକୁ ଯେଭଳି ଭାବେ ସିଆର୍‌ପିଏଫ୍‌ ଯବାନ ପଣ୍ଡ କରିବାରେ ସଫଳ ହେବେ ତାହା ଉପରେ ଡିଜି ମାହେଶ୍ୱରୀ ଗୁରୁତ୍ୱ ଦେଇଛନ୍ତି। ଏହାସହ ସେ ମାଓଦମନ ପାଇଁ ସିଆରପିଏଫ୍‌ର ଆଗାମୀ ରଣନୀତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଗତ ଦିନଗୁଡ଼ିକରେ ମାଓବାଦୀ ଦମନରେ ସିଆରପିଏଫ୍‌ ଯବାନଙ୍କ ସଫଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତେବେ ରାଜ୍ୟର ମାଓବାଦୀଙ୍କ ସ୍ଥିତି ଓ ଆଇନ ଶୃଙ୍ଖଳା ସଂକ୍ରାନ୍ତରେ ଡିଜି ମାହେଶ୍ୱରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ପୋଲିସ ଓ ଅନ୍ୟ ସୁରକ୍ଷା ବଳ ସହିତ ମିଶି ସିଆରପିଏଫ୍‌ ଅପରେଶନ ଜାରି ରଖିଛି। ଫଳରେ ପୂର୍ବ ଅପେକ୍ଷା ରାଜ୍ୟରେ ଆଇନ ଶୃଙ୍ଖଳା ଓ ମାଓବାଦୀ ସମସ୍ୟାରେ ବହୁ ସୁଧାର ଆସିଛି। ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଯଦି ଆବଶ୍ୟକ ପଡ଼େ ଓଡ଼ିଶାରେ ଅଧିକ ସିଆର୍‌ପିଏଫ୍‌ ୟୁନିଟ୍‌ ମୁତୟନ ନେଇ ସମୀକ୍ଷା କରିବୁ। ସମସ୍ତ ସୁରକ୍ଷାବଳ ସହିତ ସମନ୍ବୟ ଠିକ୍‌ଠାକ୍‌ ରହିଛି। ଜନସାଧାରଣଙ୍କ ସହଯୋଗ ମଧ୍ୟ ଆଗ ଅପେକ୍ଷା ଭଲ ମିଳୁଛି। ତେଣୁ ଅପରେଶନରେ ସୁଫଳ ମିଳୁଛି। ରାଜ୍ୟରେ ଶାନ୍ତିଶୃଙ୍ଖଳା ଭଲ ରହିଛି। ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହା ଚାହିଁବେ, ଆବଶ୍ୟକ କରିବେ ସେହି ଅନୁଯାୟୀ ପୂରା ସହଯୋଗ କରାଯିବ ବୋଲି ସିଆର୍‌ପିଏଫ୍‌ ଡିଜି ମାହେଶ୍ୱରୀ କହିଛନ୍ତି।

Share