Categories: ଜାତୀୟ

ମାଓବାଦୀ ଗଡ଼ରେ ସଡ଼କ ନିର୍ମାଣ, ଖୁସିରେ ନାଚୁଛନ୍ତି ଛୋଟପିଲା, ସୋସିଆଲ ମିଡ଼ିଆରେ ଭାଇରାଲ…

ବସ୍ତର, ୪।୬ : ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଅନେକ ଥର ଟେଣ୍ଡର ନେବା ପରେ ମଧ୍ୟ କଣ୍ଟ୍ରାକ୍ଟରମାନେ ମିଳନ୍ତି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରୁଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ସୁକମା ଜିଲାର କାରିଗୁଣ୍ଡମ ଅଞ୍ଚଳରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି ।

ସ୍ବାଧୀନତାର ଅନେକ ଦଶନ୍ଧି ପରେ ଏହି ଅଞ୍ଚଳରେ ରାସ୍ତା ନିର୍ମାଣ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି। ଏହାକୁ ଗାଁର ଛୋଟପିଲାମାନେ ଏତେ ଖୁସି ଯେ ସେମାନେ ନିର୍ମାଣ ହେଉଥିବା ରାସ୍ତାରେ ଠିଆ ହୋଇ ଗୀତ ଗାଇ ନାଚୁଥିବା ଦେଖିବାକୁ ମିଳୁଛି । ମୁଖ୍ୟନ୍ତ୍ରୀ ଭୁପେଶ ବଘେଲ ନିଜ ଟୁଇଟର ଆକାଉଣ୍ଟରେ ପିଲାମାନଙ୍କର ଏହି ଭିଡିଓ ଶେୟାର କରିଛନ୍ତି।

ବହୁ ଛୋଟ ପିଲା ‘ ରୋଡ ବନା ରେ … ରୋଡ ବନା ରେ … ଗୀତ ଗାଇ ନାଚୁଥିବାର ଭଡ଼ିଓରେ ଦେଖିବାକୁ ମିଳୁଛି। ପିଲାମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଡକ ର୍ନିମାଣରେ ନିୟୋଜିତ କେହି ଜଣେ ବ୍ୟକ୍ତି ପିଲାମାନଙ୍କର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ସୁକମା ଜିଲା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଏବଂ ଡର୍ନାପାଲ-ଜାଗାର୍ଗୁଣ୍ଡା ରାସ୍ତାରେ ଥିବା କାନକର୍ଲଙ୍କା ଗ୍ରାମଠାରୁ ପ୍ରାୟ ୧୧ କିଲୋମିଟର ଦୂରରେ ଥିବା କାରିଗୁଣ୍ଡାମ ଗ୍ରାମରେ କିଛି ମାସ ପୂର୍ବରୁ ଏକ ପୋଲିସ ଶିବିର ଖୋଲାଯାଇଛି। ଏହା ହେଉଛି ନକ୍ସଲାଇଟ୍ସର ମୂଳ ଜୋନ କ୍ଷେତ୍ର।

ମୁଖ୍ୟମନ୍ତ୍ରୀ ଭିଡିଓ ଶେୟାର କରି କହିଛନ୍ତି ଯେ ଏହି ପିଲାମାନେ ଉତ୍ସବର ପରିବେଶରେ ନାଚୁଛନ୍ତି। ସେମାନଙ୍କ ପାଇଁ ଗାଁରେ ଏକ ରାସ୍ତା ନିର୍ମାଣ ଏକ ପର୍ବଠାରୁ କମ ନୁହେଁ। ସୁକମା ଜିଲାର କାରିଗୁଣ୍ଡାମ ଗ୍ରାମରେ ଏକ ନୂତନ ରାସ୍ତା ନିର୍ମାଣ ଆରମ୍ଭ ହେବା ସହିତ ପିଲାମାନଙ୍କର ସ୍ବପ୍ନର ଯାତ୍ରା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନ ମନ୍ତ୍ର ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଏଠାରେ ୧୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି। ଏହି ରାସ୍ତା ଗାଁକୁ କାନକର୍ଲଙ୍କା ସହିତ ସଂଯୋଗ କରିବ। ଏହି ରାସ୍ତା ନିର୍ମାଣ ସହିତ ୬ରୁ ଅଧିକ ଗାଁ ମୁଖ୍ୟ ରାସ୍ତା ସହିତ ସଂଯୋଗ ହେବ।

Share