ମାଓବାଦୀ-ଗ୍ରାମବାସୀଙ୍କ ଲଢ଼େଇ: ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଜାଳିଦେଲେ ୧୦ ଘର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଥିଲା। ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ଖବରପାଇ ମାଓବାଦୀମାନେ ପତିଶୋଧ ପରାୟଣ ହୋଇ ରାତିରେ ଗ୍ରାମରେ ପଶି ୧୦ରୁ ଊର୍ଦ୍ଧ୍ୱ ଘର ପୋଡ଼ିଦେବା ସହ ୧୦ ଅଧିକ ବାଇକ୍‌ ପୋଡ଼ି ଦେଇଥିବା ସୂଚନାମିଳିଛି। ତେବେ ଭୟରେ ଗ୍ରାମ ଛାଡିବାକୁ ଗ୍ରାମବାସୀ ବାହାରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।
ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜନ୍ତୁରାଇ ଗାଁକୁ ମାଓବାଦୀ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବା ଲାଗି ଗ୍ରାମବାସୀଙ୍କୁ ଆଦେଶ ଦେଇଥିଲେ। ମାତ୍ର ଗ୍ରାମବାସୀ ଏହାର ବିରୋଧ କରିବା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାଓବାଦୀ ଗୁଳିଚାଳନା କରିବାରୁ ଗ୍ରାମବାସୀ ଟେକା ପଥର ପକାଇବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ପାଲଟା ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ।

Share