ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର ପୂର୍ବତନ ମାଓବାଦୀ ଡିଭିଜନ କମିଟି ସମ୍ପାଦକ ତଥା ମାଲକାନଗିରି ପୂର୍ବତନ ଜିଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ। ଏଥିସହ ପ୍ରାୟ ୨୦ ବର୍ଷ ଧରି ମାଲକାନଗିରି ଜିଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ଚିତ୍ରକୋଣ୍ଡା ଜଳଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ବିଏସ୍‌ଏଫ୍‌ ଯବାନଙ୍କୁ ଆକ୍ରମଣ, କାଲିମେଳା ତେଲରାଇ ଆକ୍ରମଣରେ ୧୧ଜଣ ପୋଲିସଙ୍କୁ ହତ୍ୟା ଭଳି ବହୁ ଘଟଣାରେ ଉଭୟଙ୍କ ସମ୍ପୃକ୍ତି ରହିଥିଲା। ମାଲକାନଗିରି ପୋଲିସ ଦାମୋଦରଙ୍କ ନାମରେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ବର୍ତ୍ତମାନ ଦାମୋଦର ଆନ୍ଧ୍ର ଓଡ଼ିଶା ସ୍ବତନ୍ତ୍ର ଜୋନାଲ କମିଟିରେ କାର୍ଯ୍ୟ କରୁଥିବା ବେଳେ ମାଲକାନଗିରି ସହ ଆନ୍ଧ୍ରରେ ଶହେରୁ ଊର୍ଦ୍ଧ୍ୱ ମାଓବାଦୀ ହିଂସାରେ ଜଡିତ ଥିଲେ। ସେ ମ୍ୟାଲେରିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ବିଡି ଗ୍ରାମରୁ ତାଙ୍କୁ ଗିରଫ କରାଯାଇଥିବା ଏଏସ୍‌ପି ସତୀଶ କୁମାର ସୂଚନା ଦେଇଛନ୍ତି।

Share