ମାଓବାଦୀ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ, ୧୮।୫: ୨୦୧୪ ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ବଜ଼ାର ଥାନା ଅନ୍ତର୍ଗତ ମଙ୍ଗଲବରମ ପେଟାସାହିର ଏ. ଚନ୍ଦ୍ରା ରାଓଙ୍କ ଘରୁ ମାଓବାଦୀ ନେତା ସବ୍ୟସାଚୀଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଶୁକ୍ରବାର ଏହି (ଏସ୍‌ଟି -୩୩/୧୫) ମାମଲାର ବିଚାର କରି ଅତିରିକ୍ତ ଜିଲା ଦୌରା ଜଜ୍‌ -୧(ଏଡିଜେ) ସଞ୍ଜୟ ସାହୁ ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିବାରୁ ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୫ ବର୍ଷ ମଧ୍ୟରେ ଏହି ମାମଲାର ବିଚାର ହୋଇଛି। ଗୋଟିଏ ପଟେ ସବ୍ୟସାଚୀ ଗୋଟିଏ ପରେ ଗୋଟିଏ ମାମଲାରେ ନିର୍ଦ୍ଦୋଷ ହୋଇ ଚାଲିଥିବାବେଳେ ଶନିବାର ଏଥିରେ ରୋକ୍‌ ଲାଗିଥିବା ଆଲୋଚନା ହେଉଛି।
ଘଟଣା ପରଠାରୁ ସବ୍ୟସାଚୀ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଏହି ମାମଲାରେ ପର୍ଯ୍ୟାୟକ୍ରମେ ମୋଟ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ସେଥିମଧ୍ୟରେ ତଦନ୍ତକାରୀ ଅଧିକାରୀ, ପୋଲିସ, ଘର ମାଲିକ ପ୍ରମୁଖ ସାକ୍ଷୀ ରହିଥିଲେ।
ସୂଚନାଯୋଗ୍ୟ, ସବ୍ୟସାଚୀ ନିଜକୁ ଚାଉଳ ବ୍ୟବସାୟୀ ବୋଲି କୋର୍ଟରେ ବୟାନ ଦେଇଥିଲେ। ଗତ ମାସ ୨୫ ତାରିଖରେ ଏହି ମାମଲାର ଦୁଇଜଣ ଅନ୍ତିମ ସାକ୍ଷୀ ଭଡାଘର ମାଲିକ ଏ. ଚନ୍ଦ୍ରା ରାଓଙ୍କ ମା’ ଏ. ମହାଲକ୍ଷ୍ମୀ ଓ ତତ୍କାଳୀନ ଥାନା ଏସ୍‌ଆଇ ଦୀପକ ଲେଙ୍କା କୋର୍ଟରେ ବୟାନ ଦେଇଥିଲେ। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିବାରୁ ଏଡ଼ିଜେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅନିଲ କୁମାର ସାହୁ ଓ ଜ୍ଞାନ ଜେନା ମକଦ୍ଦମା ପରିଚାଳନା କରିଥିଲେ।

Share