ମାଓବାଦୀ ପ୍ରବଣ ଲାଞ୍ଜିଗଡ଼ରେ ମଦ ବିରୋଧୀ ସ୍ବର

ଲାଞ୍ଜିଗଡ, ୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧରେ ଚାଲିଛି ମଦ କାରବାର। ଏଥିଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି। ମଦ ରାନ୍ଧିବା ଓ ମଦ ବିକ୍ର ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ମହିଳା ଓ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ନୂଆବର୍ଷରେ ନେଇଛନ୍ତି ନୂଆ ସଂକଳ୍ପ, ଗଠନ କରିବେ ମଦ ମୁକ୍ତ ସମାଜ। ଲାଞ୍ଜିଗଡର ମାଓବାଦୀ ପ୍ରବଣ ଇଲାକାରେ ଯୁବକ ଓ ମହିଳାମାନେ ନେଇଛନ୍ତି ଶପଥ। ଏ ନେଇ ଖଣ୍ଡୁଆଳମାଳି ମହିଳା ଓ ଯୁବ ସଂଗଠନ ଆରମ୍ଭ କରିଛି ମଦ ବିରୋଧୀ ସଚେତନତା ପଦଯାତ୍ରା। ଗାଁ ଗାଁରେ ଆଦିବାସୀ ପରମ୍ପରା ଅନୁଯାୟୀ ଶୋଭାଯାତ୍ରାକୁ ମିଳୁଛି ଜନ ସମର୍ଥନ। ମଦ ଦ୍ୱାରା ପରିବାର ନଷ୍ଟ ହେଉଛି, ମହିଳା ବିଧବା ସାଜୁଛନ୍ତି। ଶ୍ରମିକଙ୍କ କଷ୍ଟୋପାର୍ଜିତ ଟଙ୍କା ମଦରେ ଯାଉଛି। ଗାଁ ଗାଁରେ ସଭା କରି ଭାଟି ଓ ବେଆଇନ କୁଚିଆ ମଦବିକ୍ରି ବନ୍ଦ ପାଇଁ ସୃଷ୍ଟି କରାଯାଉଛି ସଚେତନତା। ସ୍ଥାନୀୟ କୁଇ ଭାଷାରେ ମଦ କିପରି ପରିବାରକୁ ନଷ୍ଟ କରୁଛି ଏହି ଆଦିବାସୀ ମହିଳା ବଖାଣୁଥିବା ବେଳେ ଏଥିରୁ ମୁକ୍ତି ପାଇଁ ଦେଉଛନ୍ତି ଆହ୍ବାନ। ଏହି ପଦଯାତ୍ରା ପ୍ରଥମ ପର୍ଯ୍ୟାୟରେ ୧୬ଟି ଗାଁରେ କରାଯିବା। ପରେ ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ପାହାଡପଦର ଗଁ।ରୁ ବୁଧବାର ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ବିଭିନ୍ନ ଗଁ।ରେ ବାଜା ବଜାଇ ଲୋକେ ସ୍ବାଗତ କରୁଥିବା ଦେଖାଯାଉଛି। ନିର୍ବାଚିତ ପ୍ରତିନିଧିଠାରୁ ଆରମ୍ଭ କରି ସବୁବର୍ଗର ଲୋକେ ଏହି ଅଭିଯାନରେ ସାମିଲ ହେଉଛନ୍ତି। ନୂଆବର୍ଷରେ ନୂଆ ସମ୍ଭାବନାକୁ ନେଇ ଯୁବଗୋଷ୍ଠୀଙ୍କ ଏହି ଅଭିଯାନ ମାଓବାଦୀ ପ୍ରବଣ ଆଞ୍ଚଳ ପାଇଁ ଶୁଭଙ୍କର ହେବ ବୋଲି ଆଶା କରାଯାଉଛି। ଯୁବ ସାମାଜିକ କର୍ମୀ ବିଟ୍ରିଶ କୁମାରଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ପାହାଡପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝି, ବୈଦ୍ୟନାଥ ବାବୁ, ଲଳିତା ମାଝୀ, ପାହାଡପଦର ସରପଞ୍ଚ ଡମୁଣି ମାଝି, ନୁଆ ମାଝି, ରିମା ମାଝି, ଲୋକନାଥ ମାଝି, କୁନି ମାଝି, ମାଧବ ନାଏକ ପ୍ରମୁଖଙ୍କ ସହ ଖଣ୍ଡୁଆଳମାଳି ସୁରକ୍ଷା ସମିତିର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ବୋରପଦର, ପୁଞ୍ଜାମ୍‌, ଜୀରାଗାଁ, କାଞ୍ଚନମୁହିଁ, ମଦନଗୁଡା, ତାଲବୁରା, ଘାଟିକୁଣ୍ଡ୍ରୁରୁ, ପାହାଡପଦର, ପଟାଙ୍ଗପଦର ଆଦି ଗାଁର ଲୋକେ ଏହି କାର୍ଯ୍ୟକ୍ରରେ ସାମିଲ ହୋଇଥିଲେ।

Share