ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର ଶିଶୁ। ଆଗ୍ରାର ଜଣେ ୨୩ ଦିନର ଶିଶୁ ମାତ୍ର ୧୫ ଦିନ ମଧ୍ୟରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଗ୍ରା ତାଜଗଞ୍ଜର ମହମ୍ମଦ ଆରିଫଙ୍କ ୨୩ ଦିନର ପୁଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏହାର ଚିକିତ୍ସା କରିବା ଡାକ୍ତରମାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଥିଲା। ମାର୍ଚ୍ଚ ୨୦ରେ ତାଙ୍କୁ ଏମ୍ସର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତିକରାଯାଇଥିଲା। ଏହାପରେ ତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପିଲାସହ ମା’ଙ୍କୁ ଏକାଠି ରଖାଯାଇଥିଲା ବୋଲି କୁହାଯାଏ। ହେଲେ ମା’ କରୋନା ନେଗେଟିଭ ଥିବାରୁ ସେ ପିଲା ନିକଟକୁ ପିପଇ କିଟ୍ ପିନ୍ଧି ଯାଉଥିଲେ। ଶିଶୁଟି ପାଖରେ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ଲକ୍ଷଣ ଆସିବା ପର୍ଯ୍ୟନ୍ତ ଡାକ୍ତର ଅପେକ୍ଷା କରିଥିଲେ। ଏହି ସମୟରେ ମା’ଙ୍କୁ ସୁଷମ ଖାଦ୍ୟ ଦେବା ସହ ଶିଶୁକୁ ୫-୭ଥର ସ୍ତନ୍ୟପାନ କରାଯାଇଥିଲା ବୋଲି କୁହାଯାଉଛି। ଏହାପରେ ୧୪ ଦିନ ମଧ୍ୟରେ ଶିଶୁଟିର ରିପୋର୍ଟ ୨ଥର ନେଗେଟିଭ ଆସିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ କୁହାଯାଉଛି କି ମା’କ୍ଷୀର ଯୋଗୁ ଶିଶୁଟି ଏତେଶୀଘ୍ର କରୋନା ସଂକ୍ରମଣରୁ ମୁକ୍ତି ପାଇ ପାରିଛି।