ମାକ୍ସ ପିନ୍ଧି ଅଖିମୁଠି ଶୁଭଦେଲେ ଚାଷୀ

ନୂଆପଡ଼ା ଅଫିସ,୨୬ା୪- ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଅର୍ଥାତ୍‌ ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ପକାଏ ।  ଜମିରେ ପୂଜାର୍ଚ୍ଚନା କରି ଭଲ ଫସଲ ପାଇଁ ମାଟି ମାଆକୁ ବିନତୀ କରେ ।  ହେଲେ ଏଥର ଚାଷୀଙ୍କ ମନରେ ସେହି ଉତ୍ସାହ ନାହିଁ ।  ମହାମାରୀ କରୋନା ଚାଷୀଙ୍କ ମୁହଁରୁ ସେହି ହସକୁ ଛଡାଇ ନେଇଛି ।  ହର୍ଷଉଲ୍ଲାସ ବଦଳରେ ଚାଷୀ ମାକ୍ସ ପିନ୍ଧି ଅଖିମୁଠି ବୁଣି ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ।  ନୂଆପଡା ଜିଲା ପ୍ରଶାସନର ବଦଳରେ କୃଷକ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି ।
ଜିଲା ସଦର ମହକୁମାଠାରୁ ମାତ୍ର ୧୨କିମି ଦୂର କୋମନା ବ୍ଲକର ମୁଣ୍ଡାପଲା ଗାଁରେ ମିଲେଟ ମିଶନ କାର୍ଯ୍ୟକ୍ରମ ସମ୍ଭାଳୁ ଥିବା ଅହିଂସା କ୍ଲବ(କୃଷକ କ୍ଲବ)ଦ୍ୱାରା ରବିବାର ଅକ୍ଷୟ ତୃତୀୟା ପାଳନ କରାଯାଇଥିଲା ।  ଭଗବାନ ଭୋଇଙ୍କ କ୍ଷେତରେ ହାତଗଣତି ୨୦ଜଣ ଚାଷୀ ଉପସ୍ଥିତ ଥିଲେ ।  ସମସ୍ତଙ୍କ ମୁହଁରେ ମାସ୍କ ଥିଲା ।  ପୂର୍ବାହ୍ନ ସାଢେ ୮ଟାବେଳେ ପୂଜାର୍ଚ୍ଚନା ପରେ ଚାଷୀ ଭୋଇ ଅଖିମୁଠି ଶୁଭ ଦେଇଥିଲେ ।  ଏହାପରେ ହଳ କରି ବିହନ ବୁଣାଗଲା ।  କାହାରି ମନରେ ପୂର୍ବବର୍ଷ ଭଳି ଉତ୍ସାହ ନ ଥିଲା ।  ତଥାପି ମହାମାରୀ କରୋନାକୁ ମୁକାବିଲା କରିବା ।  ନିଜକୁ ସୁରକ୍ଷିତ ରଖିବା ସହ ଦେଶବାସୀଙ୍କ ମୁହଁରେ ଅନ୍ନ ଯୋଗାଇବାକୁ ସଂକଳ୍ପ ନେଇଥିଲେ ଉପସ୍ଥିତ ଥିବା ଚାଷୀଭାଇ ।  ଏହି ଅବସରରେ କ୍ଲବ ସଭାପତି ଶିବ ପ୍ରସାଦ ସାହୁ ମାଣ୍ଡିଆ, ଗୁର୍ଜି ଭଳି ଚାଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।  ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।  ସରକାର ମଧ୍ୟ କୃଷି ଭିତ୍ତିକ ଉଦ୍ୟୋଗ ସବୁ ସହର ବଦଳରେ ଗାଁରେ ସ୍ଥାପନ କଲେ ଏଭଳି ମହାମାରୀକୁ ସାମନା କରିବା ସହଜ ହେବ ବୋଲି ମତ ରଖିଥିଲେ ।  ଏହି ଅବସରରେ ଉପସ୍ଥିତ ଚାଷୀଙ୍କୁ କ୍ଲବ ତରଫରୁ ବିଭିନ୍ନ ବିହନ ପ୍ୟାକେଟ ବଣ୍ଟନ କରାଯାଇଥିଲା ।
ଅକ୍ଷୟ ତୃତୀୟା ପୂର୍ବରୁ ସରକାର ଚାଷୀଙ୍କ ପାଇଁ ବିଭିନ୍ନ କିସମର ବିହନ, ଚାଷ ସାମଗ୍ରୀ ଯୋଗାଇବା ନିଶ୍ଚିତ କରିଥାନ୍ତି ।  ହେଲେ ଏଥର ସବୁ ପଛରେ ପଡିଛି ।  ଏହା ଆଗାମୀ ଚାଷକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।  ଅକ୍ଷୟ ତୃତୀୟା ଏହା ସୂଚିତ କରୁଛି ବୋଲି ଜିଲା କୃଷକସଂଘ ସଭାପତି ଘାସିରାମ ମାଝି କହିଛନ୍ତି ।  ତେବେ ଚାଷ ଏବଂ ଚାଷୀଙ୍କ ସକାଶେ କୃଷି ବିଭାଗ ସବୁ ପ୍ରକାର ପ୍ରସ୍ତୁତି କରିସାରିଛି ।  କୌଣସି ପ୍ରକାର ଆଶଙ୍କା ନାହିଁ ବୋଲି ସହକାରୀ କୃଷି ଅଧିକାରୀ ହିମାଂଶୁ ଶେଖର ମହାପାତ୍ର କହିଛନ୍ତି ।