ମାଗଣା ଜମି ପଟ୍ଟା ବଣ୍ଟନ ଗୁଜବ, ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଭିଡ଼

ଭବାନୀପାଟଣା,୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟରେ ମାଗଣା ଜମି ପଟ୍ଟା ପ୍ରଦାନ କରାଯାଉଛି। ଏହି ଖବର ଶୁଣି ଜିଲାର ବିଭିନ୍ନ ବ୍ଲକରୁ ସବୁଜ ପତ୍ରିକାଧାରୀ ମହିଳା ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏତେ ସଂଖ୍ୟକ ମହିଳାଙ୍କୁ ଦେଖି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇନଜୀବୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସମ୍ପର୍କରେ ଆଇନଜୀବୀ ପଚାରିବା ପରେ ମାଗଣା ଜମି ପଟ୍ଟା ବଣ୍ଟନ କରାଯାଉଛି ବୋଲି ମହିଳାମାନେ କହିଥିଲେ। ଏ ନେଇ କୌଣସି ସୂଚନା ନ ଥିବା ଆଇନଜୀବୀ କହିବା ସହ ଏହା ଏକ ଗୁଜବ ବୋଲି ମହିଳାମାନଙ୍କୁ ଜଣାଇଥିଲେ। । ଶେଷରେ କଳାହାଣ୍ଡି ଜିଲା ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା ଓ ନିମାଞ୍ଚଳ ନାଏକଙ୍କ ନେତୃତ୍ୱରେ ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ସବୁଜ ପତ୍ରିକାଧାରୀମାନେ ଭେଟି ଲିଖିତ ଦାବିପତ୍ର ଦେଇଥିଲେ। ଭୂମିହୀନ ହିତାଧିକାରୀଙ୍କୁ ମାଗଣାରେ ୪ ଡିସିମିଲ ଘରଡିହ ପଟ୍ଟା ପ୍ରଦାନ ପାଇଁ ଅନୁରୋଧ କରିଥିଲେ।

Share