ମାଙ୍କଡ଼, କୁକୁରଙ୍କ ସାହାରା ଭୋଗଦୋକାନୀ: ୨୯ ଦିନ ହେଲା ଯୋଗାଉଛନ୍ତି ଖାଦ୍ୟ

ରଘୁନାଥପୁର, ୧୧।୪ (ଡି.ଏନ୍‌.ଏ.)-କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିବା ବେଳେ ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠ ମଧ୍ୟ ବନ୍ଦ ରହିଛି। ଫଳରେ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ବନ୍ଦ ରହିବା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଲାମ ଦିଆଯାଇଥିବା ଭୋଗ ଓ ଦୀପ ଦୋକନ ବନ୍ଦ ରହିଛି। ଏଥିଯୋଗୁ ପୀଠ ମଧ୍ୟରେ ରହୁଥିବା ମାଙ୍କଡ଼, କୁକୁର ଓ ଷଣ୍ଢ ଖାଇବାକୁ ପାଉ ନାହାନ୍ତି। ଏହି ଅସମୟରେ ସେମାନଙ୍କ ସାହାରା ସାଜିଛନ୍ତି ପୀଠରିସରରେ ଥିବା ଭୋଗ ଦୋକାନୀମାନେ। ପୀଠରେ କଟକଣା ଲାଗିବା ପରେ ଭୋଗ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଫେଣି, ଗଜା, ଲଡୁ ଆଦି ଅନ୍ୟାନ୍ୟ ଭୋଗ ବିକ୍ରି ହୋଇ ନ ପାରି ରହିଯାଇଛି। ତେବେ ଖାଦ୍ୟ ସଙ୍କଟରେ ଥିବା ପଶୁମାନଙ୍କୁ ପ୍ରତିଦିନ ସକାଳ ଓ ଅପରାହ୍ନରେ ଦୋକାନର ତତ୍ତ୍ୱାବଧାରକ ରମେଶଚନ୍ଦ୍ର ସାହୁ ଓ ଅନ୍ୟ ଦୋକାନୀମାନେ ବିକ୍ରି ହୋଇପାରି ନ ଥିବା ଶୁଖିଲା ଭୋଗ ଖାଇବାକୁ ଦେଉଛନ୍ତି। ଏପରିକି ସେମାନେ ମନ୍ଦିରକୁ ପ୍ରବେଶ କରିବା ମାତ୍ରେ ପୀଠ ମଧ୍ୟରେ ଥିବା ମାଙ୍କଡ଼, କୁକୁର ଓ ଷଣ୍ଢ ଘେରି ଯାଉଛନ୍ତି। ସେମାନଙ୍କର ଏଭଳି ଭଲ ପାଇବା ଆତ୍ମସନ୍ତୋଷ ପ୍ରଦାନ କରିଛି ବୋଲି ରମେଶ କହିଛନ୍ତି।

Share