ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା

ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍‌ନିସିଆନ୍‌ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍‌-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ ପଳାଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଏହି ଦୃଶ୍ୟର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖବର ଅନୁଯାୟୀ ଉକ୍ତ ମେଡିକାଲରେ ସଂଗୃହୀତ ହୋଇଥିବା ରକ୍ତ ନମୁନାକୁ ଲାବରେଟୋରି ଟେକ୍‌ନିସିଆନ ଜଣକ ପରୀକ୍ଷା ପାଇଁ ନେଉଥିବାବେଳେ ଗଛରେ ବସିଥିବା ଦଳେ ମାଙ୍କଡ଼ ଧାଇଁଆସି ତାଙ୍କଠାରୁ ୩ଟି ନମୁନା କିଟ୍‌ ନେଇ ପଳାଇଥିଲେ। ସମ୍ପୃକ୍ତ ୩ ସନ୍ଦିଗ୍ଧଙ୍କଠାରୁ ପୁଣି ଥରେ ରକ୍ତ ନମୁନା ସଂଗ୍ରହ କରାଯାଇଛି। ତେବେ ମାଙ୍କଡମାନଙ୍କ ପାଖରେ ସନ୍ଦିଗ୍ଧ ନମୁନା ଥିବାରୁ ଉକ୍ତ ଅଞ୍ଚଳରେ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ମିରଟ ମେଡିକାଲ କଲେଜ ପରିସରରେ ମାଙ୍କଡଙ୍କ ଉପଦ୍ରବ ନୂଆ କଥା ନୁହେଁ। ବନ ବିଭାଗ କର୍ମଚାରୀଙ୍କୁ ଜଣାଇବା ସତ୍ତ୍ୱେ ମାଙ୍କଡକୁ ଧରାଯାଇପାରିନାହିଁ। ଘଟଣାର ତଦନ୍ତ କରାଯାଉଥିବା ମିରଟ ଜିଲା ଅଧିକାରୀ ଅନିଲ ଧିଙ୍ଗ୍ରା କହିଛନ୍ତି।

Share