ରାଜୀବ କର୍ମି
ଶିକ୍ଷା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ଶିକ୍ଷା ସରକାରଙ୍କର ଅତ୍ୟାବଶ୍ୟକ ସେବା। ଶିକ୍ଷା ମୁକ୍ତ ଏବଂ ବାଧ୍ୟତାମୂଳକ। କିଏ, କେଉଁଠି କହିଛି ଏହାର ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ। ମାତ୍ର ଅନବରତ ମାନସ ମନ୍ଥନ ପରେ ଶିକ୍ଷା ବିଷୟକ ମତବାଦର ଉପତ୍ତ୍ତି। ଶିକ୍ଷା କେବେ ହେଲେ ଅଣବୈଷୟିକ ନୁହେଁ। ଶିକ୍ଷା ଉପରେ କାମ କରିବାକୁ ହେଲେ ସ୍ବତନ୍ତ୍ର ଜ୍ଞାନ, ଧାରଣା ଏବଂ ଅଭିଜ୍ଞତାର ଆବଶ୍ୟକତା ଦରକାର। କେବଳ ଶ୍ରେଣୀ ଗୃହ ଭିତରେ ପାଠ ପଢ଼ି ଶିକ୍ଷା ଉପରେ ଅଭିଜ୍ଞତା ହାସଲ କରିବା ଅସମ୍ଭବ କିମ୍ବା ଯେ କୌଣସି ବୃତ୍ତିର କିମ୍ବା ଯୋଗ୍ୟତାର ବ୍ୟକ୍ତି ଶିକ୍ଷା ଉପରେ କାମ କରିପାରିବ ନାହିଁ।
ଆମ ଦେଶରେ ମୁଖ୍ୟତଃ ତିନି ପ୍ରକାର ଶିକ୍ଷା ପାଠ୍ୟକ୍ରମ ଚାଲିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ଭାରତୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଇତ୍ୟାଦି । ଉଭୟ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଉପରୋକ୍ତ ପାଠ୍ୟକ୍ରମରେ ପିଲା ପାଠ ପଢ଼ନ୍ତି। ଶିକ୍ଷାର ଲକ୍ଷ୍ୟ ଯଦି ଗୋଟିଏ ତେବେ ତିନି ପ୍ରକାର ପାଠ୍ୟକ୍ରମ କାହିଁକି? ଗୋଟିଏ ଅନ୍ୟଟିରୁ ଉପଯୁକ୍ତ କି? ଚାକିରି କ୍ଷେତ୍ରରେ କାହାର ଆବଶ୍ୟକତା ଅଧିକ? କେଉଁ ପାଠ୍ୟକ୍ରମ ଭଲ ମଣିଷ ହେବା ପାଇଁ ଶିକ୍ଷା ଦେଇଥାଏ? ଯଦି ସବୁ ସମାନ, ତେବେ ଏତେ ଭିନ୍ନତା କାହିଁକି? ଏ ପ୍ରଶ୍ନଗୁଡ଼ିକୁ ଆମେ ନିଜେ ଖୋଜିବାକୁ ଚେଷ୍ଟା କରିବା। ବ୍ୟବସାୟ ଏବଂ ଶିକ୍ଷାରେ ବିଭେଦତା ପାଇଁ ହିଁ ଏହାର ସୃଷ୍ଟି। ସମସ୍ତଙ୍କର ଧାରଣା ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ଭଲ ପାଠ ହୁଏ। ଇଂଲିଶ ଏବଂ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପିଲାଙ୍କ ଭିତରେ ଆମେ ହିଁ ପାଚେରି ସୃଷ୍ଟି କରୁଛେ। ବେସରକାରୀ ବିଦ୍ୟାଳୟରେ ଭଲ ପାଠ ହୁଏ ବୋଲି ସମସ୍ତଙ୍କର ମନରେ ବସା ବାନ୍ଧି ଗଲାଣି। ତେଣୁ ସରକାରୀ ବିଦ୍ୟାଳୟ ବନ୍ଦ ହେଲେ ବି କେହି ପାଟି ଫିଟଉ ନାହାନ୍ତିି।
ଶିକ୍ଷା ସମ୍ପର୍କିତ ନୀତିନିୟମ କିଏ ପ୍ରଣୟନ କରନ୍ତି? ଦିନରାତି ପରିଶ୍ରମ କରି ଦେଶ ପାଇଁ କିଏ ଭଲ ଶିକ୍ଷା ନୀତିଟିଏ ତିଆରି କରନ୍ତି? ନିହାତି ଭାବରେ ଜଣେ ଜଣେ ଶିକ୍ଷାବିତ୍ ହୋଇଥିବେ। କିନ୍ତୁ ତାହା ୧୦୦ ଶତକଡ଼ା ସତ ନୁହେଁ। ଏ ସମ୍ପର୍କିତ ଚିଠା ପ୍ରସ୍ତାବକୁ କିଏ ତର୍ଜମା କରନ୍ତି? ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟିରେ କେତେ ଜଣ ଶିକ୍ଷାବିତ୍ ଥାଆନ୍ତି। ଲୋକ ସଭା ରାଜ୍ୟ ସଭାରେ ବିଲ୍ ପାସ୍ ହେଲା ବେଳେ କେତେଜଣ ଶିକ୍ଷା ଉପରେ ଧାରଣା ଏବଂ ଅଭିଜ୍ଞତା ଥିବା ଲୋକ ମତାମତ ଦିଅନ୍ତି? ଆଇନ୍ ତିଆରି ପୂର୍ବରୁ କେତେଜଣ ଶିକ୍ଷାବିତ୍ଙ୍କର ମତାମତକୁ ଗ୍ରହଣ କରାଯାଇଥାଏ? ଏହାକୁ ମଧ୍ୟ ବିଚାରକୁ ନେବା। ଅନେକ ସମୟରେ ଶିକ୍ଷା ଉପରେ ସୀମିତ ଧାରଣା ଥିବା କିଛି ଲୋକ ସେ ମନ୍ତ୍ରୀ ହୁଅନ୍ତୁ ବା ସଚିବଙ୍କ ଦ୍ୱାରା ଆଇନ୍କୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥାଏ ଏବଂ ଆମେ ଆମର ପିଲାମାନଙ୍କ ଭବିଷ୍ୟତ ତାଙ୍କ ଭରସାରେ ଛାଡ଼ିଦେଉ।
ଅନେକଙ୍କ ଧାରଣା ଶିକ୍ଷାଦାନ କିଛି ବଡ଼କଥା ନୁହେଁ। ତେଣୁ ଦଶମ ଫେଲ୍ ବି ଶିକ୍ଷକ ହୁଅନ୍ତି। ମ୍ୟାଲେରିଆ ହେଲେ କ୍ଲୋରୋକୁଇନ୍ ଦେଲା ଭଳି, ଶିକ୍ଷାରେ ସେମିତି ଘଟେ ନାହିଁ। ଏଥିପାଇଁ ସରକାର ଶିକ୍ଷା ଉପରେ ବାରମ୍ବାର ତର୍ଜମା କରନ୍ତି। ଅନେକ କସରତ କରି ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ବ୍ୟବସ୍ଥା ତିଆରି ହୁଏ। ଏହାପରେ ମଧ୍ୟ କିଛି ତଥାକଥିତ ଶିକ୍ଷାବିତ୍ ଶିକ୍ଷାକୁ ମୋଡ଼ି ମକଚି ଦେବାର ପ୍ରୟାସ କରନ୍ତି। ବ୍ୟବସ୍ଥାକୁ ୧୦୦ଶତକଡ଼ା ଲାଗୁ ହେବା ପୂର୍ବରୁ ଅବସ୍ଥା ବଦଳି ଯାଏ। ଦେଶର ଭୁଲ୍ ଶିକ୍ଷାନୀତି ଯୋଗୁଁ ଶିକ୍ଷକମାନେ ଶିକ୍ଷାଦାନ ଛାଡ଼ି ରାଜରାସ୍ତାକୁ ଓହ୍ଲାନ୍ତି। ସମାନ କାମକୁ ଅସମାନ ଦରମା ସହିତ ୨୦ ବର୍ଷ ଧରି ଅଧ୍ୟାପନା କରୁଥିଲେ ମଧ୍ୟ ନୂତନ ଅଧ୍ୟାପକଙ୍କଠାରୁ କମ୍ ଦରମା ପାଆନ୍ତି।
ବିଗତ ପାଞ୍ଚ ବର୍ଷରେ ଓଡ଼ିଶା ସରକାର ନିଜର ୧୭୭୨ ବିଦ୍ୟାଳୟକୁ ବନ୍ଦ କରିଛନ୍ତି। ଚଳିତ ବର୍ଷ ଆହୁରି ୬୩୪୦ ବିଦ୍ୟାଳୟ ବନ୍ଦ କରିବେ। ଯେତେବେଳେ ଶିକ୍ଷା ଅଧିକାର ଆଇନ୍ ଆସିଲା ସରକାର ଛତୁ ଫୁଟିଲା ଭଳି ବିଦ୍ୟାଳୟ ଖୋଲିଲେ। ଅନୁଦାନ ଥିଲା। ମନଇଚ୍ଛା ଖର୍ଚ୍ଚ କଲେ। ନାରା ଦେଲେ ପିଲା ନୁହେଁ, ବିଦ୍ୟାଳୟ ଯିବ ପିଲାଙ୍କ ପାଖକୁ। ଆବଶ୍ୟକତା ନ ଥିବା ସ୍ଥାନରେ ବିଦ୍ୟାଳୟ ହେଲା। ଗାଁ ଲୋକମାନେ ଏଣୁ ତେଣୁ ପିଲାଙ୍କ ନାମ ଯୋଗାଡ଼ କରି ନିଜ ଗାଁକୁ ବିଦ୍ୟାଳୟଟିଏ ଆଣିଲେ। ପରବର୍ତ୍ତୀ ସମୟରେ ପିଲାସଂଖ୍ୟା କମିଲେ। ସରକାରଙ୍କର ଦୂରଦର୍ଶିତାର ଅଭାବ ହେତୁ ବିଦ୍ୟାଳୟ ବନ୍ଦ କରି ପିଲାଙ୍କୁ ହଇରାଣ କଲେ। ବିଭିନ୍ନ ପ୍ରକାର ପଦବୀ ଏବଂ ଦରମା ବ୍ୟବସ୍ଥା ଫଳରେ ଶିକ୍ଷକମାନଙ୍କ ମଧ୍ୟରେ ବିଭେଦତା ସୃଷ୍ଟି ହେଲା। ଶିକ୍ଷାକୁ ଉନ୍ନତ କରିବା ପାଇଁ ଅନେକ ନୂଆ ପଦବୀ ସୃଷ୍ଟି ଫଳରେ ବ୍ୟବସ୍ଥା ଆହୁରି ଜଟିଳ ହେଲା। ନିଜର ଦାୟିତ୍ୱ ବିଷୟରେ ସମସ୍ତେ ଦ୍ୱନ୍ଦ୍ୱରେ ରହିଲେ। ବିଦ୍ୟାଳୟ ସୁନ୍ଦର ହେଲା ଅଥଚ ପାଠ କମିଲା। ଶିକ୍ଷକ ହେବା ପାଇଁ ଅତି କମ୍ରେ ଦ୍ୱାଦଶ ଶ୍ରେଣୀ ପରେ ଦୁଇ ବର୍ଷିଆ ଏବଂ ସ୍ନାତକୋତ୍ତର ଏକ ବର୍ଷ ଶିକ୍ଷା ତାଲିମର ଆବଶ୍ୟକତା ରହିଛି। ବିନା ତାଲିମରେ ଶିକ୍ଷକ ସୃଷ୍ଟି କରିବା କେଉଁ ଭଳି ମସ୍ତିଷ୍କର ଯୋଜନା ହୋଇପାରେ। ଅନ୍ୟ ଦେଶ ବା ରାଜ୍ୟର ଅଭିଜ୍ଞତାକୁ ଆମେ ଭରସା କଲେ। ନୂଆ ବ୍ୟବସ୍ଥା ତିଆରି ହେଲା କିନ୍ତୁ ଆୟତ୍ତ କରିବାରେ ବିଫଳ ହେଲେ।
ଇଂଲିଶ ମାଧ୍ୟମ ବିଦ୍ୟାଳୟ ଏବଂ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପାଠ୍ୟକ୍ରମରେ କ’ଣ ତଫାତ୍ ଅଛି? ବେସରକାରୀ ବିଦ୍ୟାଳୟ ଏବଂ ସରକାରୀ ବିଦ୍ୟାଳୟର ପରିଚାଳନାରେ କ’ଣ ତାରତମ୍ୟ ରହିଛି? ବେସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କର ଆବେଗ ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କଠାରୁ କାହିଁକି କମ୍? ବେସରକାରୀ ବିଦ୍ୟାଳୟ ସହ ସମକକ୍ଷ ଲକ୍ଷ୍ୟ ଥିବା କେନ୍ଦ୍ର ସରକାରଙ୍କର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କର ଆଦର୍ଶ ବିଦ୍ୟାଳୟଗୁଡ଼ିକ ମଧ୍ୟ ବେସରକାରୀ ବିଦ୍ୟାଳୟ ସହିତ ପ୍ରତିଯୋଗିତା କରିପାରୁ ନାହିଁ କାହିଁକି? ସରକାର ଜାଣିଶୁଣି ନିଜ ବିଦ୍ୟାଳୟର କ୍ଷତି କରୁଛନ୍ତି। ସରକାର ନିଜେ ଯଦି ବେସରକାରୀ ବିଦ୍ୟାଳୟର ଉଦ୍ଘାଟନ କରିବେ ତେବେ ସରକାରୀ ବିଦ୍ୟାଳୟରେ ପିଲା କାହିଁକି ପଢ଼ିବେ। ଯେତେ ବେସରକାରୀ ବିଦ୍ୟାଳୟ ଖୋଲୁଛି ତା’ ଅନୁସାରେ ଅନେକ ଗୁଣ ସରକାରୀ ବିଦ୍ୟାଳୟ ବନ୍ଦ ହେଉଛି। ବେସରକାରୀ ବିଦ୍ୟାଳୟମାନେ ସରକାରୀ ବିଦ୍ୟାଳୟ ବନ୍ଦ କରିବାରେ ଅନେକ ପରିମାଣରେ ଦାୟୀ।
ଶିକ୍ଷାକୁ ଏତେ ହେୟଜ୍ଞାନ କରିବା ଏବଂ ଗମ୍ଭୀରତାର ସହ ନ ନେବାର କାରଣ କ’ଣ ହୋଇପାରେ। ପ୍ରଥମତଃ ସମସ୍ତଙ୍କର ଧାରଣା ଶିକ୍ଷା ଏକ ଅଣ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ଭୁଲ୍ ଶିକ୍ଷାର ତତ୍କ୍ଷଣାତ୍ ପ୍ରଭାବ ନ ଥାଏ। ଆଜିର ଅବହେଳା ପାଇଁ ଭବିଷ୍ୟତରେ ପିଲାଟି କି କି ଅସୁବିଧାର ସମ୍ମୁଖୀନ ହୁଏ, କେହି ହିସାବ ରଖନ୍ତି ନାହିଁ। ଦ୍ୱିତୀୟତଃ ଭୁଲ୍ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସିଧାସଳଖ ଦାୟୀ କରାଯାଇ ପାରେ ମାତ୍ର ଶିକ୍ଷା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବରେ କେହି ଦାୟୀ ହୁଅନ୍ତି ନାହିଁ ବା କାହାର ଉତ୍ତର ଦାୟିତ୍ୱ ନ ଥାଏ। ତୃତୀୟତଃ ଶିକ୍ଷାରେ ବ୍ୟବସାୟିକତାର ସୁଯୋଗ ସୀମିତ। ତେଣୁ ପ୍ରତିଯୋଗିତା ମଧ୍ୟ ଅଳ୍ପ। ଏଣୁ ଶିକ୍ଷାର ଉନ୍ନତି ମଧ୍ୟ ସୀମିତ।
ଆଜି ବି ଅଧିକାଂଶ ଶିକ୍ଷକଙ୍କ ଶିଶୁ ଏବଂ ଶିକ୍ଷା ପ୍ରତି ଧାରଣା ବଦଳୁ ନାହିଁ। ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କ ଯଦି ଏପରି ଧାରଣା ତେବେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ମନୋଭାବ କ’ଣ ହେବ? ଶିକ୍ଷା ଏକ ସମ୍ବେଦନଶୀଳ ବିଷୟ। ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉ। ପିଲାଙ୍କ ଭବିଷ୍ୟତ ଅପାରଗ ହାତରେ ଛାଡ଼ି ଦିଆ ନ ଯାଉ। ଉପଯୁକ୍ତ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରି ଶିକ୍ଷା ବିକାଶର ଦାୟିତ୍ୱ ଦିଆଯାଉ। ନଚେତ୍ ଅବସ୍ଥା ମାଙ୍କଡ଼ ହାତେ ଶାଳଗ୍ରାମ ପରି ହେବ।
ଶଗଡ଼ା, ବୌଦ୍ଧ
ମୋ-୮୩୨୮୮୪୮୧୪୫