ମା’ଙ୍କୁ ମୁଖାଗ୍ନି ଦେଇପାରିଲେନି ପୁଅ

ବିନିକା୧୮ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗପାଲି ଗାଁର ଜଣେ ଯୁବକ ଗୁଜରାଟରେ ଫସି ରହିଛନ୍ତି। ସାପ କାମୁଡ଼ାରେ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ହେଲେ ସେ ମା’ଙ୍କୁ ମୁଖାଗ୍ନି ଦେଇ ପାରି ନାହାନ୍ତି। ଏବେ ସେ ନିଜ ମା’ର ଶୁଦ୍ଧିକ୍ରିୟାରେ ଯୋଗ ଦେଇ ପାରିବେ କି ନାହିଁ ତାହା ମଧ୍ୟ ଆଶା ଆଶଙ୍କା ଭିତରେ ରହିଛି। କରୋନା ଜନିତ ଲକ୍‌ଡାଉନ୍‌ କଟକଣା ହିଁ ତାଙ୍କ ଫେରିବାରେ ବାଧା ଦେଇଛି। ହିନ୍ଦୁ ଧର୍ମର ନିୟମାନୁସାରେ ମା’ର ଶୁଦ୍ଧିକ୍ରିୟାରେ ବଡ଼ପୁଅ କ୍ରିୟାକର୍ମ କରିବାର ଆବଶ୍ୟକତା ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ତାଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।
ଏହି ଗାଁର ଗୋପବନ୍ଧୁ ମହାନନ୍ଦ (୪୬ )। ଘରେ ତାଙ୍କର ୭୨ ବର୍ଷୀୟା ବୃଦ୍ଧା ମା’, ସ୍ତ୍ରୀ ବାସନ୍ତୀ (୩୯), ୩ ପୁଅ ଚିଣ୍ଟୁ (୧୯), ମଣ୍ଟୁ (୧୬ ) ଓ ହିମାଂଶୁ (୧୪)। ସମସ୍ତଙ୍କୁ ନେଇ ତାଙ୍କ ତେଲଲୁଣର ସଂସାର ଚାଲିଥିଲା। ଗୋପବନ୍ଧୁ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ଆଜିର ମହଙ୍ଗା ଯୁଗରେ ପରିବାର ଚଳାଇବା ଦିନକୁ ଦିନ କଷ୍ଟକର ହୋଇପଡିଲା। ଶେଷରେ ବଡପୁଅ ଚିଣ୍ଟୁ ୮ ମାସ ତଳେ କାମଧନ୍ଦା ଲାଗି ଗୁଜରାଟ ଯାଇଛନ୍ତି। ସେଠାରେ ଏକ ସୂତାକଳରେ କାମ କରି ଘରକୁ କିଛି ଟଙ୍କା ପଠାଉଥିଲେ। ହେଲେ ଗତ ଗୁରୁବାର ଏହି ପରିବାର ଉପରେ କଳାବାଦଲ ଘୋଟି ଆସିଲା। ମଧ୍ୟାହ୍ନରେ ଖାଇ ସାରି ସମସ୍ତେ ଘରେ ଶୋଇଥିବା ସମୟରେ ବାସନ୍ତୀଙ୍କୁ ସାପ କାମୁଡ଼ି ଦେଇଥିଲା। ଗୋପବନ୍ଧୁ ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁ ଗୁଜରାଟରେ ଫସିଥିବା ଚିଣ୍ଟୁ ଘରକୁ ଆସିବା ବାଟ ବନ୍ଦ ହୋଇଯାଇଛି। ବଡପୁଅ ହୋଇ ମଧ୍ୟ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ସେ ବଞ୍ଚିତ ହୋଇଛନ୍ତି। ଘରକୁ ଫେରିବା ପାଇଁ ଡହଳ ବିକଳ ହେଉଥିଲେ ହେଁ କରୋନା କଟକଣା ତାଙ୍କୁ ଅସହାୟ କରି ଦେଇଛି। ଏପଟେ ବଡପୁଅ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ। ଜିଲା ପ୍ରଶାସନ ଏହି ଘଟଣାରେ ହସ୍ତକ୍ଷେପ କରି ଚିଣ୍ଟୁଙ୍କୁ ଗୁଜରାଟରୁ ଫେରାଇ ଆଣିବା ବ୍ୟବସ୍ଥା କରିବା ସହ ଏହି ଅଭାବୀ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସାରଙ୍ଗପାଲି ଗ୍ରାମବାସୀ ଦାବି କରିଛନ୍ତି।

Share