ବାସେଲ, ୨୫।୮: ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବ୍ୟାଡମିଣ୍ଟନର ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନିଜ ମା’ଙ୍କ ଜନ୍ମଦିନରେ ତାଙ୍କୁ ଏହgି ଉପହାର ଭେଟି ଦେଇଛନ୍ତି ସିନ୍ଧୁ। ଏହି ପଦକକୁ ମା’ଙ୍କୁ ଉତ୍ସର୍ଗ କରିଛନ୍ତି। ପୂର୍ବରୁ ଦୁଇଥର ଫାଇନାଲରେ ପରାସ୍ତ ହୋଇଥିବା ସିନ୍ଧୁଙ୍କ ମୁକାବିଲା ୨୦୧୭ ବିଶ୍ୱ ବିଜେତା ଜାପାନର ନିଜୋମି ଓକୁହାରାଙ୍କ ସହ ହୋଇଥିଲା। ପୂର୍ବରୁ ଫାଇନାଲରେ ତାଙ୍କଠାରୁ ପରାସ୍ତ ହୋଇଥିବା ସିନ୍ଧୁ ଏଥର ବାଜି ମାରିନେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାକୁ ସିନ୍ଧୁଙ୍କ ଘର ଲୋକେ ଟିଭିରେ ଉପଭୋଗ କରୁଥିଲେ। ସ୍ବର୍ଣ୍ଣ ଜିତିବା ପରେ ତାଙ୍କ ପରିବାର ଲୋକ ପରସ୍ପର ମିଠା ଖୁଆଇଥିଲେ।