ମା’ଙ୍କ ଦଶାହରେ ଆଖି ବୁଜିଲେ ପୁଅ

ପାଟପୁର,୨୫ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ମା’ଙ୍କ ଦଶାହ କାର୍ଯ୍ୟ ସାରିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପ୍ରଶାନ୍ତ କୁମାର ପଟ୍ଟନାୟକ (୫୨)। କଙ୍କେରଡ଼ା ନେହେରୁ ବିଦ୍ୟାପୀଠରେ ପ୍ରଶାନ୍ତ କିରାଣି ଭାବେ କାର୍ଯ୍ୟ କରୁଥିଲେ। ଗତ ୧୫ ତାରିଖରେ ତାଙ୍କ ମା’ଙ୍କର ପରଲୋକ ଘଟିଥିଲା। ବଡ଼ ପୁଅ ହୋଇଥିବାରୁ ପ୍ରଶାନ୍ତ ମୁଖାଗ୍ନି ଦେବା ସହ କ୍ରିୟା ଧରିଥିଲେ। ରବିବାର ମା’ଙ୍କ ଦଶାହ କର୍ମ ହୋଇଥିଲା। ରାତି ପ୍ରାୟ ୪ଟାରେ ପ୍ରଶାନ୍ତ ଘରେ ବସିଥିବା ଜୁଳୁଜୁଳିଆ ହାଣ୍ଡି ନେଇ ଗାଁ ମୁଣ୍ଡକୁ ଯାଇଥିଲେ। ସେଠାରୁ ଆସି ଘରେ ଅଚେତ ହୋଇ ଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକେ ମୃତଦେହକୁ ଗାଁକୁ ଆଣି ସତ୍କାର କରିଥିଲେ। ଏହି ଘଟଣା ପରେ ଡେଙ୍ଗାଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।