ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ ପକ୍ଷରୁ ପାଳନ କରାଯାଉଥିବା ଗୌରଜ୍ୟା ମା’ଙ୍କ ପୂଜା ଉତ୍ସବରେ ଭାଗ ନେଉଥିବା ମାନସିକଧାରୀମାନେ ୪୦ଦିନ ଯାଏ ଅଗାଧୁଆ ରହିଥାନ୍ତି।
ରାଜସ୍ଥାନର ଭିଲଓ୍ବାଡାରେ ମହାଆଡମ୍ବରରେ ସମ୍ପନ୍ନ ହୋଇଛି ଗୌରଜ୍ୟା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା। ଏହି ଅବସରରେ ଆୟୋଜିତ ଗଓ୍ବରୀ ଲୋକନୃତ୍ୟରେ ପ୍ରଚଳିତ ପ୍ରଥା ଅନୁଯାୟୀ ୧୫୦ଜଣ କଳାକାର ଭାଗନେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା, ଗୌରଜ୍ୟା ଠାକୁରାଣୀଙ୍କୁ ସ୍ବାଗତ ଜଣାଇ ଗଓ୍ବରୀ ନୃତ୍ୟ ପରିବେଷଣ କରୁଥିବା କଳାକାରମାନେ ୪୦ଦିନ ଯାଏ କଠୋର ବ୍ରତ ଧାରଣ କରିଥାନ୍ତି। ଏହି ସମୟରେ ସେମାନେ ଜମା ଗାଧୋଇ ନ ଥାନ୍ତି। ସେମାନଙ୍କୁ ସବୁଜ ପରିବା, ଆମିଷ, ମଦ ଆଦି ତ୍ୟାଗ କରିବାକୁ ପଡ଼େ। ସାରାଦିନର କଠୋର ବ୍ରତ ପରେ ମାତ୍ର ଥରେ ସାତ୍ତ୍ୱିକ ଭୋଜନ କରିଥାନ୍ତି ସେମାନେ। କେବଳ ଏତିକି ନୁହେଁ, ଏହି ବ୍ରତ ଏତେ କଠୋର ଯେ, ବ୍ରତଧାରୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ଘରେ ପ୍ରବେଶ କରନ୍ତି ନାହିଁ। ସେମାନେ ପାଖାପାଖି ଦେଢ଼ମାସ ଯାଏ ମଠମନ୍ଦିରରେ ରୁହନ୍ତି। ଫୁଙ୍ଗୁଳା ପାଦରେ ଚାଲନ୍ତି। ଚଟାଣରେ ଶୁଅନ୍ତି। ନୃତ୍ୟରେ ଭାଗ ନେଉଥିବା ସମସ୍ତ କଳାକାର ପୁରୁଷ। ସେମାନଙ୍କ ମଧ୍ୟରୁ କେତେଜଣ ମହିଳାଙ୍କ ବେଶ ଧାରଣ କରି ଯାତ୍ରାରେ ଭାଗ ନେଇଥାନ୍ତି। ସମସ୍ତଙ୍କୁ କଡ଼ା ନିୟମ ମଧ୍ୟରେ ଅନ୍ତିମ ଦିନ ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ଅନ୍ତିମ ଦିନରେ ମା’ଙ୍କ ଶୋଭାଯାତ୍ରା ନଗର ପରିକ୍ରମା କରେ। ଏହା ପରେ ମୂର୍ତ୍ତିକୁ ବିସର୍ଜନ କରିଦିଆଯାଏ।
ଯାତ୍ରାର ଆୟୋଜକ ବଜେରାମ ଗମେତୀ କୁହନ୍ତି, ଗୌରଜ୍ୟା ଠାକୁରାଣୀ ହେଉଛି ମା’ ପାର୍ବତୀଙ୍କ ଭଉଣୀ। ବିଶ୍ୱାସ ରହିଛି ଯେ, ଯାତ୍ରା ସମୟରେ ସେ କୈଳାସ ପର୍ବତକୁ ମା’ ପାର୍ବତୀଙ୍କୁ ମିଶିବାକୁ ଆସିଥାନ୍ତି। ଠାକୁରାଣୀଙ୍କୁ ସ୍ବାଗତ କରିବାକୁ ମଓ୍ବୋରର ବିଭିନ୍ନ ସ୍ଥାନରେ ଗଓ୍ବରୀ ନୃତ୍ୟ ଆୟୋଜିତ ହୋଇଥାଏ। ମା’ ସନ୍ତୁଷ୍ଟ ହେଲେ ଅଞ୍ଚଳରେ ଶାନ୍ତି ଭାଇଚାରା ପ୍ରତିଷ୍ଠା ହେବ। ଆସନ୍ନ ସଙ୍କଟରୁ ରକ୍ଷାମିଳିବ ବୋଲି ସେ କହିଛନ୍ତି।

Share