Advertisement
Categories: ଖେଳ

ମା’ଙ୍କ ପାଇଁ ଯନ୍ତ୍ରଣା ସହି କ୍ରିକେଟ ମୈଦାନରେ ଖେଳି ଚାଲିଥିଲେ ଏହି ଖେଳାଳି

ମାଞ୍ଚେଷ୍ଟର, ୨୦।୬: ଆୟୋଜକ ଇଂଲଣ୍ଡ ବିଶ୍ୱକପର ୨୪ତମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩୯୭ ରନ ବିଶାଳ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୮ ଉଇକେଟ ହରାଇ ୨୪୭ ରନରେ ସୀମିତ ରହି ଆତ୍ମସମର୍ପଣ କରିଥିଲା। ଏହି ମ୍ୟାଚ୍‌ ଚାଲିଥିଲାବେଳେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହଶମତୁଲ୍ଲାହ ସାହିଦ ବ୍ୟାଟିଂ କରୁଥିଲେ। ତାଙ୍କୁ ବୋଲିଂ କରୁଥିଲେ ଇଂଲଣ୍ଡର ମାର୍କ ବୁଡ୍‌। ବୁଡ୍‌ଙ୍କ ଏକ ବାଉନସର୍‌ ବଲ୍‌ ସାହିଦ୍‌ଙ୍କ ହେଲମେଟ୍‌ରେ ବାଜିଥିଲା। ଫଳରେ ହେଲମେଟ୍‌ଟି ଫାଟିଯିବା ସହ ସେ ତଳେ ପଡିଯାଇଥିଲେ। ଦଳର ଫିଜିଓ ଆସି ତାଙ୍କୁ କିଛି ସମୟ ବ୍ୟାଟିଂ ନ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ତୁରନ୍ତ ଉଠି ଖେଳିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମ୍ୟାଚ୍‌ ପରେ ଏନେଇ ସାହିଦଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ପରିବାର ମ୍ୟାଚ୍‌ ଦେଖୁଥିଲେ। ଷ୍ଟାଡିୟମରେ ମୋ ଭାଇ ଉପସ୍ଥିତ ଥିଲେ। ମୁଁ ସେମାନଙ୍କୁ ଚିନ୍ତିତ ଅବସ୍ଥାରେ ଦେଖିବାକୁ ଚାହୁଁ ନ ଥିଲି। ଗତବର୍ଷ ପିତାଙ୍କ ମୃତ୍ୟୁ ପରେ ମୋ ମା’ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ତାଙ୍କୁ ଆଉ କଷ୍ଟ ଦେବାକୁ ଚାହୁଁ ନ ଥିଲି ବୋଲି ସାହିଦ କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶାହିଦ୍‌ ସର୍ବାଧିକ ୭୬ରନ୍‌ର ପାଳି ଖେଳିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel