କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ ଦିନ ଭିନ୍ନ ଭିନ୍ନ ଚିତ୍ର ନଜରକୁ ଆସୁଛି, ଯାହା ଅତ୍ୟନ୍ତ କରୁଣ ଓ ହୃଦୟ ବିଦାରକ। ଖୋର୍ଦ୍ଧାରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗ ଫେରିବାକୁ ବାହାରିଛନ୍ତି ମେଦିନିପୁର ଅଞ୍ଚଳର ଦୁଇ ଭାଇ। ପଶ୍ଚିମବଙ୍ଗକୁ ଏଠାରୁ ଦୂରତା ୪୫୩ କିଲୋମିଟର। ମା’ଙ୍କ ଦେହ ବହୁତ ଖରାପ। ମା’ ଫୋନରେ ବାରମ୍ବାର ଡାକୁଛନ୍ତି। ଯାହା ହେଲେ ବି ଫେରିବାକୁ ପଡ଼ିବ। ପକେଟରେ ଅଛି ମାତ୍ର ୨୫୦ ଟଙ୍କା। ଭଗବାନଙ୍କୁ ଭରସା କରି ଘରମୁହାଁ ଏହି ପଶ୍ଚିମବଙ୍ଗ ଭ୍ରାତା ଦ୍ୱୟଙ୍କୁ ଶୁକ୍ରବାର କଟକ ଗୋପାଳପୁର ବ୍ରିଜ ନିକଟରେ ଭେଟିଥିଲେ ଆମ ପ୍ରତିନିଧି। ଲକ୍ଡାଉନ ସମୟରେ ଭୋଗିଥିବା କଷ୍ଟ ବଖାଣିଥିଲେ ବଡ଼ଭାଇ ଜାଭେଦ ହାସିମ।
ସେ କହିଥିଲେ, ୩ବର୍ଷ ତଳେ ଦୁଇଭାଇ କାମ କରିବାକୁ ଓଡ଼ିଶା ଆସିଥିଲୁ। ପ୍ରଥମେ କିଛି ବର୍ଷ ଆମେ ବାଲେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନମଜୁରିଆ ଭାବେ କାମ କରିଥିଲୁ। ହେଲେ ପାରିଶ୍ରମିକ ଯାହା ମିଳୁଥିଲା, ସେଥିରୁ ନିଜ ଖର୍ଚ୍ଚ ଉଠାଇ ପରିବାର ପାଇଁ ସଞ୍ଚି ପାରୁ ନ ଥିଲୁ। ତେଣୁ ଖୋର୍ଦ୍ଧାର ଏକ ଟାଇଲ୍ କମ୍ପାନୀରେ କାମ କରିବାକୁ ଚାଲି ଆସିଲୁ। ଏଠାରେ ଗତ ବର୍ଷ ଠାରୁ କାମ କରୁଛୁ। କିଛି ମାସ ତଳେ ଘରକୁ ଯାଇ ସଞ୍ଚିଥିବା ସମସ୍ତ ଟଙ୍କା ଦେଇ ଆସିଥିଲୁ। ଏଠାକୁ ଫେରିବା ପରେ ୧୦ ଦିନ କାମ ନ କରୁଣୁ ଲକଡାଉନ ହୋଇଗଲା। କିଛି ଦିନ ପରେ ସବୁ କିଛି ଠିକ ହୋଇଯିବ ବୋଲି ଭାବି ଭଡ଼ାଘରେ ପଡ଼ି ରହିଥିଲୁ। ହେଲେ ଦିନକୁ ଦିନ ପରିସ୍ଥିତି ଜଟିଳ ହେଲା। ଯାହା ଟଙ୍କା ଥିଲା, ସେଥିରେ ଯେମିତି ସେମିତି ତେଲ, ଲୁଣ କିଣି ଚଳିଯାଉଥିଲୁ। ମାତ୍ର ଗତ ୨୦ ଦିନ ହେବ ପେଟ ପୁରାଇ ଖାଇନୁ କି ରାତିରେ ଠିକରେ ଶୋଇ ପାରିନୁ। ସବୁଦିନ ସକାଳ ହେଲେ କ’ଣ ଖାଇବୁ ତାହା ଆମକୁ ଚିନ୍ତାରେ ପକାଉଥିଲା। ଯଦି କେହି କିଛି ଦେଉଥିଲେ ତାହାଲେ ପେଟକୁ ଦାନା ମିଳୁଥିଲା। ଗତ ୭ଦିନ ହେବ ମା’ଙ୍କ ଦେହ ଖରାପ ବୋଲି ଘରୁ ଫୋନ ଆସିଥିଲା। ଏଣୁ ଖୋର୍ଦ୍ଧାର ଏକ ଥାନାରୁ ପାସ୍ ଆଣି ଦୁଇଟି ସାଇକେଲ ଧରି ଆମେ ପଶ୍ଚିମବଙ୍ଗ ଫେରୁଛୁ। ଉଭୟ ଏକସଙ୍ଗେ ଖୋର୍ଦ୍ଧାରୁ ବାହାରିଥିଲେ ସୁଦ୍ଧା ସେ କଟକରେ ପହଞ୍ଚି ସାରିଥିବାବେଳେ ସାନଭାଇ ବହୁତ ପଛରେ ରହିଯାଇଛନ୍ତି ବୋଲି ଜାଭେଦ କହିଥିଲେ। ଖୋଦ୍ଧର୍ର୍ା ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନ ଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମଧ୍ୟ ଘରକୁ ଯିବା ଲାଗି ବ୍ୟବସ୍ଥା କରାଯାଇନାହିଁ ବୋଲି ଜାଭେଦ କ୍ଷୋଭର ସହ ପ୍ରକାଶ କରିଥିଲେ।