ପ୍ରଶାନ୍ତି ବିହାର ଦୁର୍ଗାପୂଜା କମିଟି : ମା’ଙ୍କ ମଥାରେ ଝଟକିବ ଚାନ୍ଦି ମୁକୁଟ

ଭୁବନେଶ୍ୱର,୩୦।୯(ବ୍ୟୁରୋ) : ଭୁବନେଶ୍ୱରର ଓ୍ବାର୍ଡ ନଂ. ୧ ଅନ୍ତର୍ଗତ ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ପୂଜା ଆୟୋଜନ କରୁଛି। ୨୦ ବର୍ଷ ହେବ ଦୁର୍ଗାପୂଜା କରି ଆସୁଥିବା ଏହି କମିଟି ପ୍ରଥମଥର ଲାଗି ମା’ଙ୍କୁ ଚାନ୍ଦି ମୁକୁଟ ଭେଟି ଦେବ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଏପରି ଭିନ୍ନକିଛି କରାଯାଉଥିବାବେଳେ ମା’ଙ୍କ ମଥାରେ ଚାନ୍ଦି ମୁକୁଟ ଝଟକିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟଭରା ସୁଉଚ୍ଚ ତୋରଣ ପୂଜାର ଶୋଭା ବଢାଇବ। ସେହିଭଳି ରଙ୍ଗବେରଙ୍ଗ ଆଲୋକମାଳା ଓ ଶିଳ୍ପୀଙ୍କ ଦ୍ୱାରା ନୂଆ କାରୁକାର୍ଯ୍ୟ ଅନ୍ୟତମ ଆକର୍ଷଣ ହେବ। ପୂଜା ୪ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଲୋନୀରେ ଏକ ସୁସ୍ଥ ପରିବେଶ ସହ ବାସିନ୍ଦାଙ୍କ ଭାଇଚାରା ମଧ୍ୟରେ ଏହି ପୂଜା ଆୟୋଜିତ ହେଉଛି ବୋଲି କମିଟି ସଦସ୍ୟମାନେ କହିଛନ୍ତି।
ବିଜୟା ଦଶମୀରେ ଦହି ପାଖଳ
ମହାଅଷ୍ଟମୀ ଦିନ ମା’ଙ୍କ ପାଇଁ ଖେଚୁଡ଼ି ଭୋଗ ଓ ଦଶମୀରେ ଦହି ପଖାଳ ଭୋଗ କରାଯାଇଥାଏ। ଗତ ୫ବର୍ଷ ହେବ ମା’ଙ୍କ ବିଜୟା ଦଶମୀ ଦିନ ସାର୍ବଜନୀନ ଦହି ପଖାଳ ଭୋଗ କରାଯାଇଥାଏ। ଏହାକୁ ସମସ୍ତେ ସେବନ କରିବା ସହିତ ମା’ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। କମିଟି ପକ୍ଷରୁ କେବଳ ଦୁର୍ଗାପୂଜା ନୁହେଁ, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ମଧ୍ୟ କରାଯାଉଛି। ଆଗାମୀ ଦିନରେ ସମସ୍ତ ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ।
– ନିରଞ୍ଜନ ବାରିକ, ସଭାପତି
ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ
ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କମିଟି ପକ୍ଷରୁ ଭଲ୍ୟୁଣ୍ଟର ବ୍ୟବସ୍ଥା କରାଯାଇଛି। କଲୋନୀର ଯୁବକମାନେ ମୁଖ୍ୟ ଭୂମିକା ନିର୍ବାହ କରିବେ। ଏହାସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରି ମା’ଙ୍କ ଭସାଣି ଉତ୍ସବକୁ ଖୁବ୍‌ ଶୃଙ୍ଖଳିତ ଭାବେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
– ସିତାଂଶୁ ଦାସ, ସମ୍ପାଦକ

Share