Categories: ଗଞ୍ଜାମ

ମା’ଙ୍କ ଶାଢ଼ିରେ ରଶି ଲଗାଇ ପୁଅଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫।୫- ଟାଉନା ଥାନା ଅନ୍ତର୍ଗତ ବିଜିପୁର ଲଷ୍ମୀ ସାହିରେ ଜଣେ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ମା’ଙ୍କ ଶାଢ଼ିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମାଧବ ଦାସଙ୍କ ପୁଅ ଅନିଲ ଦାସ( ୨୦)। ଖବରପାଇ ପୋଲିସ ମୃତଦେହ ଜବତ କରି ୧୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାନସିକ ଅଶାନ୍ତିରୁ ଅନିଲ ଏଭଳି ଭାବେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନାନୁଯାୟୀ, ଅନିଲ କାମଧନ୍ଦା କରୁ ନ ଥିବା ବେଳେ ସବୁବେଳେ ବାପାଙ୍କଠାରୁ ଟଙ୍କା ନେଇ ମଦ୍ୟପାନ କରୁଥିଲେ। ଏ ନେଇ ବାପା ଅନିଲଙ୍କୁ ତାଗିଦ କରୁଥିଲେ। ପ୍ରତିଦିନ ଭଳି ଶୁକ୍ରବାର ରାତି ସାଢେ ୧୧ଟାରେ ଅନିଲ ଘରକୁ ଫେରିଥିଲେ। ସମସ୍ତେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତି ୩ଟାରେ ମାଧବ ପରିସ୍ରା ଯିବା ପାଇଁ ଉଠିବା ବେଳେ ପୁଅ ବେକରେ ଶାଢ଼ୀରେ ରଶି ଲଗାଇ ଝୁଲୁଥିବା ଦେଖିଥିଲେ। ସେ ଶାଢ଼ୀକୁ କାଟି ଅନିଲଙ୍କୁ ବାହାର କରିଥିଲେ ସୁଦ୍ଧା ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଶନିବାର ସକାଳେ ମାଧବ ପୋଲିସକୁ ଏ ନେଇ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।