ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟ ସର୍ତ୍ତମୂଳକ ଭାବେ ମାତ୍ର ୪ ଦିନିଆ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଅବଧି ସମୟରେ ସେ ସାକ୍ଷ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ କିମ୍ବା କୌଣସି କ୍ଷତି ପହଞ୍ଚାଇବାକୁ ସେ ଚେଷ୍ଟା କରିବେ ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ପାରିବେନି। ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ବାଧ୍ୟ। ସେହିପରି ଜାମିନ ସମୟରେ ପୁଞ୍ଜିଲାଲଙ୍କ ଉପରେ ଥାନା ଅଧିକାରୀ ମଧ୍ୟ ନଜର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୨ ତାରିଖରେ ପୁଞ୍ଜିଲାଲ ମା’ଙ୍କ ଶେଷକୃତ୍ୟ ପାଇଁ ଦିନିକିଆ ପାରୋଲରେ ଯାଇଥିଲେ। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ସେ ହାଜର ହେବେ। ସୂଚନାଥାଉ କି, ଏହି ସମ୍ବେଦନଶୀଳ ଘଟଣା ୨୦୧୮ ଫେବୃୟାରୀ ୨୩ ତାରିଖରେ ଘଟିଥିଲା। ପାଟଣାଗଡ଼ ଅଞ୍ଚଳର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଏକ ପାର୍ସଲ ଆସିଥିଲା। ଏହି ପାର୍ସଲ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଓ ତାଙ୍କ ଜେଜେମା’ ଜେମାମଣିଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସୌମ୍ୟଙ୍କ ସ୍ତ୍ରୀ ରିମା ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୦୧୮ ଏପ୍ରିଲ ୨୫ରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିଲା।

Share