Categories: ଫୁରସତ

ମାଛଙ୍କ ସାଥୀ

ରାସ୍ତାର ବୁଲା କୁକୁର, ଗାଈ ଆଦିଙ୍କୁ କିଛି ଲୋକ ଖାଦ୍ୟ ଦେଉଥିବା ଏମିତିକି ସେମାନଙ୍କ ଯତ୍ନ ନେଉଥିବା ଦେଖିଥିବେ। ତେବେ ଭିଏତନାମର ମୁଓଇ ଫୁକ୍‌ ନାମକ ବ୍ୟକ୍ତି ନଦୀର ହଜାର ହଜାର ସଂଖ୍ୟକ ମାଛଙ୍କ ସାଥୀ ପାଲଟିଛନ୍ତି। ଏମିତିକି ନଦୀ କୂଳରେ ଥିବା ତାଙ୍କ ଘର ନିକଟକୁ ଏହି ମାଛ ମାନେ ସବୁଦିନ ଆସନ୍ତି। ଆଉ କୂଳ ନିକଟରେ ଗଦା ହୋଇ ମୁହଁ ବାହାରକୁ ବାହାର କରି ପାଟି ପାକୁ ପାକୁ କରି ଖାଦ୍ୟ ମାଗନ୍ତି। ସେମାନଙ୍କୁ ଦେଖିବାମାତ୍ରେ ମୁଓଇ ସେମାନଙ୍କ ପାଇଁ ଘରୁ ଖାଦ୍ୟ ଆଣି ପାଣିରେ ପକାନ୍ତି। ମାଛଗୁଡ଼ିକ ବେଶ୍‌ ଖୁସିରେ ତାକୁ ଖାଆନ୍ତି। ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମୁଓଇ ଓ ମାଛଙ୍କ ମଧ୍ୟସ୍ଥ ଏହି ସମ୍ପର୍କ ଜାରି ରହିଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଏବେ ବିଭିନ୍ନ ସ୍ଥାନରୁ ଲୋକ ଆସୁଛନ୍ତି। ମୁଓଇ କୁହନ୍ତି, ‘୨୦୨୦ ଭିଏତନାମର ନବବର୍ଷ ‘ଟେଟ୍‌’ ଦିନ ତାଙ୍କ ସ୍ତ୍ରୀ ଓ ପିଲାମାନେ ବାହାରକୁ ଯାଇଥାନ୍ତି। ମୁଁ ଘରେ ଥାଏ ଜେଜେବାପା, ଜେଜେମା’ଙ୍କୁ ରାନ୍ଧିକି ଦେବାପାଇଁ। ସେଦିନ ଯେତେବେଳେ ମୁଁ ଝରକାରୁ ବାହାରକୁ ଦେଖିଲି ଏକ ଅଜବ ଦୃଶ୍ୟ ମୋ ନଜରକୁ ଆସିଲା। ମୁଁ ଦେଖିଲି ମୋ ଘର ନିକଟରେ କିଛି ମାଛ ନଦୀର ପୃଷ୍ଠ ଭାଗକୁ ଆସି ପାଟି ପାକୁ ପାକୁ କରୁଛନ୍ତି। ମତେ ଲାଗିଲା ସେମାନେ ମତେ ଖାଦ୍ୟ ମାଗୁଛନ୍ତି। ତେଣୁ କିଛି ବତକ ଖାଦ୍ୟ ଆଣି ସେ ମାଛଙ୍କୁ ଦେଲି। ପରଦିନ ଦେଖିଲି ସେଇ ସମୟରେ ପୁଣି ମାଛମାନେ ଆସିଛନ୍ତି। ତେଣୁ ପୁଣିଥରେ ସେମାନଙ୍କୁ ଖାଦ୍ୟ ଦେଲି। ଏହାପରଠାରୁ ମାଛମାନେ ସବୁଦିନ ଆସିଲେ ଓ ନୂଆ ନୂଆ ସାଙ୍ଗ ମାଛଙ୍କୁ ବି ଧରିକି ଆସିଲେ। ଏବେ ପ୍ରାୟ ୧୦,୦୦୦ରୁ ଉର୍ଦ୍ଧ୍ୱ ମାଛ ସବୁଦିନ ଆସୁଛନ୍ତି। ଏହି ମାଛଙ୍କ ଭିତରେ କ୍ୟାଟ୍‌ ଫିଶ୍‌, ସ୍ନେକହେଡ ଫିଶ୍‌ ଓ ପମ୍ପାନୋ ପରି ହିଂସକ ପ୍ରବୃତ୍ତିର ମାଛ ବି ଅଛନ୍ତି। ଏହି ମାଛଙ୍କ ପାଇଁ ଏବେ ମାସକୁ ୧ ଟନ୍‌ରୁ ଉର୍ଦ୍ଧ୍ୱ ଚାରା ଆବଶ୍ୟକ ହେଉଛି। ଏତେ ଟଙ୍କା ଖର୍ଚ୍ଚ କରିପାରୁ ନ ଥିବାରୁ ମୁଁ ସ୍ଥାନୀୟ ଚାଷୀଙ୍କ ସାହାଯ୍ୟ ନେଉଛି। ସେମାନଙ୍କଠୁ ଅଳ୍ପ ନଷ୍ଟ ହୋଇଥିବା ଫଳ, ପନିପରିବା ଆଣି ମାଛଙ୍କୁ ଦେଉଛନ୍ତି। ଏସବୁକୁ ବି ମାଛଗୁଡିକ ବେଶ୍‌ ଖୁସିରେ ଖାଉଛନ୍ତି।’

 

Share