ମାଛ ଉପରୁ ହଟିଲା ଲକ୍‌ଡାଉନ କଟକଣା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣ ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଏଥିଯୋଗୁ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଛି। ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡି ଯାଇଛି। ଅନ୍ୟରାଜ୍ୟରୁ ଓଡ଼ିଶାକୁ ମାଛ ଆମଦାନୀ ବନ୍ଦ ହୋଇଯାଇଛି। ରାଜ୍ୟ ଭିତରେ ମଧ୍ୟ ଉତ୍ପାଦନ ହ୍ରାସ ପାଇଛି। ଲକ୍‌ଡାଉନ ଯୋଗୁ ପୂର୍ବଭଳି ବଜାରରେ ମାଛ ଉପଲବ୍ଧ ହେଉ ନାହିଁ। କେବଳ ମଧୁର ମାଛ ନୁହେଁ ସାମୁଦ୍ରିକ ମାଛ ଉପତ୍ାଦନ ମଧ୍ୟ ଅତି ମାତ୍ରାରେ ପ୍ରଭାବିତ ହୋଇଛି। ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ବିଭାଗର ୨୦୧୭-୧୮ବାର୍ଷିକ ରିପୋର୍ଟ ତଥ୍ୟ ଅନୁଯାୟୀ ରାଜ୍ୟରେ ବାର୍ଷିକ ୬.୮୩ଲକ୍ଷ ମେଟ୍ରିକ ଟନ୍‌ ମାଛର ଉତ୍ପାଦନ ହେଉଛି। ଦୈନିକ ପ୍ରାୟ ୨ହଜାର ମେଟ୍ରିକ ଟନ୍‌ ମାଛର ଆବଶ୍ୟକତା ରହିଛି। ରାଜ୍ୟରେ ମୋଟ ୧ଲକ୍ଷ ୧୪ହଜାର ୨୩୮ମତ୍ସ୍ୟଜୀବୀ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୬ଲକ୍ଷ ୫ହଜାର ୫୧୪ଜଣ ସାମୁଦ୍ରିକ ମାଛ ଉପରେ ନିର୍ଭର କରୁଥିବାବେଳେ ମଧୁର ଜଳ ମାଛ ବ୍ୟବସାୟ ଉପରେ ୯ଲକ୍ଷ ୯ହଜାର ୯୨୬ଜଣ ନିର୍ଭର କରନ୍ତି। ଲକ୍‌ଡାଉନ କଟକଣା ଓ ମାଛ ବ୍ୟବସାୟ ମାନ୍ଦା ଯୋଗୁ ମତ୍ସ୍ୟଜୀବୀମାନେ ଜୀବିକା ହରାଇ ଘରେ ବସି ରହିଛନ୍ତି। ସେମାନେ ସମୁଦ୍ରରୁ ମାଛ ଧରିଲେ ମଧ୍ୟ ତାହା ବିକ୍ରି ହେଉ ନାହିଁ। ବଜାରରେ ମାଛ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହେଉ ନ ଥିବାରୁ ଦର ମଧ୍ୟ ବଢି ଯାଇଛି। ଏହି ଅତ୍ୟାବଶ୍ୟକ ସାମଗ୍ରୀକୁ ଲକ୍‌ଡାଉନ କଟକଣା ମୁକ୍ତ କରାଯାଇଛି। ମତ୍ସ୍ୟ ସମ୍ବନ୍ଧୀୟ ସମସ୍ତ କଟକଣାକୁ ହଟାଇ ଦେବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଲକ୍‌ଡାଉନ କଟକଣାରୁ ସମୁଦ୍ରରୁ ମାଛ ଧରିବା, ମାଛ ଜାଆଁଳ ଶିଳ୍ପ, ମାଛ ମାରିବା, ବଢ଼ାଇବା ଓ ସେମାନଙ୍କୁ ଦାନା ଦେବା ଆଦି ଜରୁରୀ କାର୍ଯ୍ୟକୁ କଟକଣା ମୁକ୍ତ କରିବା ସହ ମାଛ, ମାଛ ଖାଦ୍ୟ, ଜାଆଁଳ ନେଇ ଯାଉଥିବା ଯାନ ବାହାନକୁ ନ ଅଟକାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏଥିରେ ନିୟୋଜିତ କମଚାରୀଙ୍କୁ ହଇରାଣ ହରକତ ନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଏହିକାର୍ଯ୍ୟରେ ନିୟୋଜିତ ସଂସ୍ଥା କିମ୍ବା ଅନୁଷ୍ଠାନ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ଯେପରି ପାଳନ କରିବେ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

Share