ମାଛ ଗାଲିସି ତଳୁ ବାହାରିଲା ୩୦ଗ୍ରାମ ବ୍ରାଉନ୍‌ସୁଗାର: ଯୁବକ ଅଟକ

ଜଳେଶ୍ୱର, ୮।୫(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ନିଶା ବ୍ୟବସାୟୀମାନେ ଏହାର ସୁଯୋଗ ନେଇ କାରବାର ଚଳାଇଛନ୍ତି। ସେମାନେ ପରିବା ଓ ମାଛ ବିକ୍ରି କରିବା ଆଳରେ ପୁଡିଆ କରି ବ୍ରାଉନ୍‌ସୁଗାର କାରବାର ନଜରକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଉପାନ୍ତ ଗ୍ରାମ ଗୋବରଘଟା ନିକଟ ରାସ୍ତାରେ ଶୁକ୍ରବାର ଗ୍ରାମବାସୀ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ।
ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଞ୍ଚଳର ସେକ୍‌ ମୁନା (୪୮) ଏକ ବ୍ୟାଗରେ ପରିବା ଓ ମାଛ ଧରି ଗାଁକୁ ଗାଁ ବୁଲୁଥିଲେ। ଗୋବରଘଟା ନିକଟ ଡାକ୍ତରଖାନା ରାସ୍ତାରେ ସେ ଗଲା ବେଳେ ଗାଁମୁଣ୍ଡରେ ଜଗିଥିବା ଯୁବକମାନେ ସନ୍ଦେହରେ ତାଙ୍କୁ ପଚରାଉଚୁରା କରିଥିଲେ। ସେକ୍‌ ମୁନାଙ୍କ ବ୍ୟାଗ୍‌ ଯାଞ୍ଚ କଲା ବେଳେ ଏକ ମାଛର ଗାଲିସି ତଳୁ ୩ଟି ପୁଡ଼ିଆ ବ୍ରାଉନସୁଗାର ମିଳିଥିଲା। ଏହି ପୁଡ଼ିଆରେ ୧୦ଗ୍ରାମ ଲେଖାଏଁ ୩୦ଗ୍ରାମ ବ୍ରାଉନ୍‌ସୁଗାର ଥିବା ଯୁବକମାନେ ଜାଣିବାକୁ ପାଇଥିଲେ। ସେମାନେ ଏ ସମ୍ପର୍କରେ ଜଳେଶ୍ୱରର ଏସ୍‌ଡିପିଓ ଅଙ୍କିତା କୁମ୍ଭାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ହେବ। ଏସ୍‌ଡିପିଓ କୁମ୍ଭାର ଘଟଣାସ୍ଥଳରେ ପହଞ୍ଚତ୍ ୩ଟି ବ୍ରାଉନ୍‌ସୁଗର ପୁଡ଼ିଆ ଜବତ କରିବା ସହ ମୁନାଙ୍କୁ ଅଟକ ରଖି ପଚରାଉଚୁରା କରିଛନ୍ତି। କେବଳ ଜଣେ ଯୁବକ ନୁହେଁ, ଉପାନ୍ତ ଅଞ୍ଚଳର ବହୁ ଯୁବକ ଗ୍ରାମାଞ୍ଚଳକୁ ନିଶା ଦ୍ରବ୍ୟ ଯୋଗାଇବା ଲାଗି ଏପରି ନୂଆ ନୂଆ ଉପାୟ ଅବଲମ୍ବନ କରୁଥିବା ଜଣାପଡିଛି।