ମାଛ ମାର୍କେଟରେ ଲୋକେ ରଖୁନାହାନ୍ତି ସାମାଜିକ ଦୂରତ୍ୱ

କଣ୍ଟାପଡ଼ା,୧୦ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ବିକଳ୍ପ। ଏଥିପାଇଁ ସରକାର ସାରାଦେଶରେ ଲକ୍‌ଡାଉନ୍‌ କରି ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରିଆସୁଛନ୍ତି। ମାତ୍ର ଏହାକୁ ବହୁଲୋକ ଖାତିର ନ କରି ମନଇଚ୍ଛା ବଜାରରେ ଜିନିଷ କିଣିବାରେ ଗହଳି କରୁଥିବା ଦେଖାଯାଉଛି। କଟକ ଜିଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଅଡ଼ଶପୁର ହାଟକୁ ପ୍ରଶାସନ ୨ଦିନିଆ ପରିବର୍ତ୍ତେ କେବଳ ଶୁକ୍ରବାର ଅନୁମତି ଦେବା ସହ ଏହାକୁ ମାଧବାନନ୍ଦ ମଠ ପଛପଟକୁ ସ୍ଥାନାନ୍ତର କରିଛନ୍ତି। ଟ୍ରାଫିକ ସମସ୍ୟା ପାଇଁ ଅଡ଼ଶପୁର ତ୍ରିଛକିରେ ବସୁଥିବା ଦୈନିକ ମାଛ ଓ ପରିବାହାଟକୁ କଟକସଦର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟକୁ ସ୍ଥାନାନ୍ତର କରାଯାଇଛି। ଏହାସତ୍ତ୍ୱେ ଗ୍ରାହକମାନେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଇ ଜିନିଷପତ୍ର କିଣୁଥିବା ଦେଖାଯାଉଛି। ଶୁକ୍ରବାର ଏହି ମାର୍କେଟରେ ବହୁସଂଖ୍ୟକ ଲୋକ ମାଛ କିଣୁଥିବା ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିବାର ଦେଖାଯାଇଥିଲା। ଗୁରୁବାର ହାଇକୋର୍ଟଙ୍କ ରାୟ ପରେ ପୋଲିସ ପ୍ରଶାସନ ଟିକିଏ କୋହଳ ଥିବାରୁ ରାସ୍ତାରେ ୨ ଚକିଆ ଯାନର ଗହଳି ଥିବାର ଦେଖାଯାଇଛି।