ଅନୁଗୋଳ ଅଫିସ, ୯।୪: ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମାଛ ମାର୍କେଟ (ଆମିଷ ବଜାର)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି। ମାଛ ବ୍ୟବସାୟୀଙ୍କ ସହ ଗ୍ରାହକ ସାମାଜିକ ଦୂରତା ରଖୁ ନ ଥିବାରୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପୌର କର୍ତ୍ତୃପକ୍ଷ କହିଛନ୍ତି ଯେ, କରୋନା ଭଳି ମହାମାରୀର ମୁକାବିଲା ପାଇଁ ସମଗ୍ର ରାଜ୍ୟ ଲକ୍ଡାଉନ୍ ଥିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ସରକାର ଓ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି। କିନ୍ତୁି କିଛି ଅମାନିଆ ଲୋକ ବିନା କାରଣରେ ଘରୁ ବାହାରିବା ସହ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ସେହିପରି ପ୍ରଶାସନର ବାରମ୍ବାର ତାଗିଦ ସତ୍ତ୍ବେ ମାଛ ମାର୍କେଟର ବ୍ୟବସାୟୀମାନେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁନାହାନ୍ତି। ତେଣୁ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ପୌରପ୍ରଶାସନ ଆମିଷ ବଜାରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଆମିଷ ବଜାରରେ ଏ ସମ୍ପର୍କିତ ନୋଟିସ୍ ଲଗାଯାଇଛି। ଆଗାମୀ ନିର୍ଦ୍ଦେଶ ଦିଆ ନ ଯିବା ପର୍ଯ୍ୟନ୍ତ ମାଛ ମାର୍କେଟ ବନ୍ଦ ରହିବ ବୋଲି ସେ କହିଛନ୍ତି।