ମାଟିଆଗୁଣ୍ଡି ପୋକ ଫସଲ ଉଜାଡ଼ିଲା:ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କର୍ଲାମୁଣ୍ଡା,୧୩।୧୧(ଡି.ଏନ.ଏ.):ବର୍ଷକର ଧାନ ଅମଳ ହେବା ପୂର୍ବରୁ ଲାଗିଲା ରୋଗ ପୋକ। ବିପିଏଚ୍‌ ରୋଗ ଲାଗି ପ୍ରାୟ ୧ ଏକର ସ୍ବର୍ଣ୍ଣ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଗଲା। ଏକାଧିକବାର କୀଟନାଶକ ସିଞ୍ଚନ କରିଥିଲେ ମଧ୍ୟ ତାହା କାମରେ ଆସିଲାନି। ଶେଷରେ ନିରୂପାୟ ହୋଇ ଚାଷୀ ନିଜ କ୍ଷେତରେ ନିଅଁା ଲଗାଇଦେଲେ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇ ଗ୍ରାମରେ ଏଭଳି ଘଟଣା ଘଟିଛି । ଏହି ଗ୍ରାମର ଖଗେଶ୍ୱର ଭୋଇଙ୍କ ମାତ୍ର ୨ ଏକର ଚାଷ ଜମି ରହିଛି। ସ୍ତ୍ରୀ ଓ ଦୁଇ ସନ୍ତାନଙ୍କୁ ନେଇ ତାଙ୍କ ପରିବାର ପାଇଁ ଏହି ଚାଷ ଜମି ବର୍ଷକର ଆହାର ଯୋଗାଇଥାଏ। ଗରିବ ପରିବାର ଖଗେଶ୍ୱର ଧାର କରଜ କରି ୨ ଏକର ଜମିରେ ଧାନ ଚାଷ କରିଥିଲେ। କିନ୍ତୁ ସ୍ବର୍ଣ୍ଣଧାନ କରିଥିବା ପ୍ରାୟ ୧ ଏକର ଜମିରେ ଗତ କିଛି ଦିନ ତଳେ ମାଟିଆଗୁଣ୍ଡି ପୋକ ବ୍ୟାପି ଲାଗିଲା। ଗ୍ରାମବାସୀ ତଥା କୃଷି ବିଭାଗ ପରାମର୍ଶରେ କୀଟନାଶକ ସିଞ୍ଚନ କରିଥିଲେ। ବାରମ୍ବାର ସିଞ୍ଚନ ପରେ ବି ରୋଗ ନିୟନ୍ତ୍ରଣ ହେବା ବଦଳରେ ବ୍ୟାପକ ରୂପ ନେଲା। ପରେ ନିରୂପାୟ ଖଗେଶ୍ୱର ୧ ଏକର ଜମିରେ ନିଅଁା ଲଗାଇ ଦେଇଥିବା କହିଛନ୍ତି। ଏ ନେଇ ଭାରପ୍ରାପ୍ତ ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପଚାରିବାରୁ ଆପଣଙ୍କ ଜରିଆରେ ହିଁ ଏହି ଖବର ଶୁଣିବାକୁ ପାଇଲି। ଘଟଣାସ୍ଥଳକୁ ଯୋରାଡବ୍ରା ଆର୍‌ଆଇ ଯାଇ ତଦନ୍ତ କରିବେ ବୋଲି କହିଥିଲେ। ଅନ୍ୟପଟେ ଏହି ବ୍ଲକର ଯୋରାଡବ୍ରା ଓ ସାପଲହରା ପଞ୍ଚାୟତର ବିଭିନ୍ନ ଗଁାରେ ମାଟିଆଗୁଣ୍ଡି ପୋକ ଯୋଗୁ ଧାନଚାଷ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏହି କ୍ଷୁଦ୍ରଚାଷୀଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ ଦାବି କରିଛି।

Share