ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ଅଭିଯୁକ୍ତ ସ୍ବାମୀ ଫେରାର

ହାଟଡ଼ିହୀ, ୧୦।୮ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କ ଘର ପଛପଟ ବାଡ଼ିର ମାଟିତଳୁ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ପରେ ଶନିବାର ତାଙ୍କର ପରିଚୟ ମିଳିଛି। ସେ ହେଉଛନ୍ତି ବାଲେଶ୍ୱର ଜିଲା ସୋର ଥାନା ଅଧୀନ ପାଟଣା କୁଆଁରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଝିଅ ମଧୁସ୍ମିତା। ସେ ପ୍ରଦୀପଙ୍କୁ ଭଲପାଇ ବିବାହ କରିଥିଲେ। ହେଲେ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇ ପୋତି ଦିଆଯାଇଛି ତାହାର ସଠିକ୍‌ କାରଣ ଜଣାପଡ଼ିନାହିଁ। ପ୍ରଦୀପ ଫେରାର ଥିବା ଯୋଗୁ ପୋଲିସ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଛି।

ସୂଚନାନୁଯାୟୀ, ଏକ ଯାତ୍ରା ପାର୍ଟିରେ କାମ କରୁଥିବା ବେଳେ ପରସ୍ପରକୁ ଭଲପାଇ ପ୍ରଦୀପ-ମଧୁସ୍ମିତା ବିବାହ କରିଥିଲେ। ଗତ ଗୁରୁବାର ପ୍ରଦୀପଙ୍କ ବାଡ଼ିରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ମଧୁସ୍ମିତା ନିଖୋଜ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏକଥା ଜାଣିବା ପରେ ସ୍ଥାନୀୟ ଗ୍ରାମରକ୍ଷୀ ଗୌରାଙ୍ଗ ଜେନା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୭୩/୧୯ ଓ ଦଫା ୩୦୨, ୨୦୧ରେ ମାମଲା ରୁଜୁ କରିଥିଲା। ଏଥିସହ ପ୍ରଦୀପଙ୍କ ବାପା ପ୍ରଶାନ୍ତ, ଭାଇ ପ୍ରଭାତ ଓ ଖୁଡ଼ିଙ୍କୁ ପଚରାଉଚୁରା କରିଥିଲା। ପରେ ବାଡ଼ିପଟୁ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ଏନେଇ ପଚରାଯିବାରେ ଡିଏସ୍‌ପି ରବୀନ୍ଦ୍ର ମଲ୍ଲିକ କହିଛନ୍ତି, ମୃତଦେହକୁ ପ୍ରଦୀପଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ତାହା ପ୍ରଦୀପଙ୍କ ସ୍ତ୍ରୀଙ୍କର ବୋଲି ସ୍ପଷ୍ଟ ହୋଇଛି। ଅଭିଯୁକ୍ତ ପ୍ରଦୀପଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଏଥିସହ ହତ୍ୟାକାଣ୍ଡରେ ଅନ୍ୟ ବ୍ୟକ୍ତି ସଂଶ୍ଳିଷ୍ଟ ଥିବା ସନ୍ଦେହ କରାଯାଉଥିବାରୁ ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Share