Categories: ଜାତୀୟ

ମାଟିରେ ମିଶିଲା ୪ ବେଆଇନ ଆପାର୍ଟମେଣ୍ଟ

କୋଚି,୧୩ା୧(ପି.ଟି.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେରଳର କୋଚିସ୍ଥିତ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମାଟିରେ ମିଶିଛି। ପରିବେଶ ନିୟମ ଉଲ୍ଲଂଘନ କରି ଘର କରୁଥିବା ଲୋକମାନଙ୍କୁ ଏହା ଏକ ଶକ୍ତ ବାର୍ତ୍ତା। ମରାଡୁ ମ୍ୟୁନିସିପାଲିଟିରେ ଥିବା ହୋଲି ଫେଥ୍‌ ଏବଂ ଟୁଇନ୍‌ ଟାଓ୍ବାର ଆଲ୍‌ଫା ସେରେନ ଆପାର୍ଟମେଣ୍ଟକୁ ନିୟନ୍ତ୍ରିତ ବିସ୍ଫୋରଣ ପଦ୍ଧତିରେ ଭଙ୍ଗାଯାଇଥିଲା। ରବିବାର ଅନୁରୂପ ଭାବେ ଅନ୍ୟ ଦୁଇଟି ଅଟ୍ଟାଳିକାକୁ ଭାଙ୍ଗିଦିଆଯାଇଛି। ସେଗୁଡ଼ିକ ବେଆଇନ ଭାବେ ନିର୍ମାଣ କରାଯାଇଥିଲା, ଯାହାକି କୋଷ୍ଟାଲ୍‌ ରେଗୁଲେଶନ ଜୋନ୍‌ର ନିୟମ ଉଲ୍ଲଂଘନ କରୁଥିଲା। ଦେଶରେ ବେଆଇନ ଆପାର୍ଟମେଣ୍ଟ ଧ୍ୱଂସ କରାଯିବା ଏହା ପ୍ରଥମ ଘଟଣା। ୪ଟି ବିଲ୍ଡିଂରେ ୩୫୦ ଫ୍ଲାଟ ରହିଥିଲା, ଯାହା କେଇ ସେକେଣ୍ଡ ମଧ୍ୟରେ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନ ସଫଳ ହୋଇଥିବା ଏର୍ନାକୁଲମ ଜିଲାପାଳ ଏସ୍‌ ସୁହାସ ଏବଂ କୋଚି ପୋଲିସ କମିଶନର ବିଜୟ ସଖାରେ କହିଛନ୍ତି। ହ୍ରଦ ପାର୍ଶ୍ୱରେ ଅବସ୍ଥିତ ଏହି ବିଲ୍ଡିଂଗୁଡ଼ିକୁ ଧ୍ୱଂସ କରିବାରେ ୭୫୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ସେଗୁଡ଼ିକୁ ଭାଙ୍ଗିଦେବାକୁ ୮ ମାସ ପୂର୍ବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share