ମାଟି ତଳୁ ବାହାରିଲା ମୃତଦେହ; ସ୍ତ୍ରୀ, ପ୍ରେମିକ ମିଶି ହତ୍ୟା କରିଥିବା ସନ୍ଦେହ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କଳମା ପଞ୍ଚାୟତ ଅଧୀନ ପ୍ରସାଦଶୋଳ ଜଙ୍ଗଲରୁ ରବିବାର ମାଟିରେ ପୋତା ହୋଇଥିବା ଏକ ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ରାସଗୋବିନ୍ଦପୁର ଥାନା ଝାଟିଅଡ଼ା ପଞ୍ଚାୟତ କିଅଁାଖାଳି ଗ୍ରାମର ଶଙ୍କର୍ଷଣ ବାରିକ(୩୨)ଙ୍କ ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଓ ରାଇବଣିଆ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସାହାଯ୍ୟରେ ଏହି ମୃତଦେହ ଉଦ୍ଧାର କରାଯାଇଛି।
ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହରେ ରାସଗୋବିନ୍ଦପୁର ପୋଲିସ ଥାନାରେ ମୃତ ଶଙ୍କର୍ଷଣଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଏକ ହତ୍ୟା ମାମଲା(ନଂ.୬୬/୨୦୧୯) ରୁଜୁ କରିଛି। ଏଥିସହିତ ଶଙ୍କର୍ଷଣଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ଶଙ୍କର୍ଷଣଙ୍କ ପଡୋଶୀଙ୍କ କହିବା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକ ମିଶି ଶଙ୍କର୍ଷଣଙ୍କୁ ହତ୍ୟା କରିବା ପରେ ପାଖ ପ୍ରସାଦଶୋଳ ଜଙ୍ଗଲରେ ପୋତି ଦେଇଥିଲେ। ଏଥିରୁ ପୋଲିସକୁ ସୁରାଗ ମିଳିବାରେ ସହାୟକ ହୋଇଛି।