ମାଟି ତଳୁ ମିଳିଲା ୬୦୩୩ ମଣିଷ କଙ୍କାଳ ଓ ହଜାର ହଜାର ଗୁଳି

ଗିଟେଗା,୧୬।୨: ପୂର୍ବ ଆଫ୍ରିକାରେ ଥିବା ବୁରୁଣ୍ଡିରୁ ଖନନ ସମୟରେ ମାଟି ତଳୁ ୬୦୩୩ ମଣିଷ କଙ୍କାଳ ମିଳିଛି। ଏହା ସହିତ ହଜାର ହଜାର ଗୁଳି ମଧ୍ୟ ଉଦ୍ଧାର ହୋଇଛି। ଏତେ ସଂଖ୍ୟକ ଲୋକଙ୍କ ମାରି ଏଠାରେ ପୋତି ଦିଆଯାଇଥିବା କୁହାଯାଉଛି। କରୁସି ପ୍ରଦେଶର ୬ଟି ସ୍ଥାନରେ ଖନନ କରାଯାଇ ଏହି କଙ୍କାଳ ଉଦ୍ଧାର ହୋଇଛି। ଏହା ସହିତ ଚଷମା, ପର୍ସ ସହିତ ଅନ୍ୟ କେତେକ ସାମଗ୍ରୀ ମିଳିଛି। ମିଳିଥିବା ସାମଗ୍ରୀରୁ କଙ୍କାଳ କାହାର ତାହା ଚିହ୍ନଟ ହୋଇପାରିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। କିଛିଦିନ ତଳେ ସରକାର ଦେଶର ୪୦୦୦ ସାମୁହିକ କବର ଖୋଳିବା ପାଇଁ ନିଷ୍ପତ୍ତି ନେଇଥିଲେ। ବୁରୁଣ୍ଡିରେ ୧୯୯୩ରୁ ୨୦୦୫ ପର୍ଯ୍ୟନ୍ତ ହୋଇଥିବା ଗୃହଯୁଦ୍ଧରେ ବହୁ ସଂଖ୍ୟକ ଲୋକଙ୍କୁ ହତ୍ୟା କରାଯାଇ ସାମୁହିକ ଭାବେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଗୃହଯୁଦ୍ଧ ସମୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଏଠାରେ ୧୯୬୫, ୧୯୬୯, ୧୯୭୨, ୧୯୮୮ ଏବଂ ୧୯୯୩ରେ ନର ସଂହାର କରାଯାଇଥିଲା।

Share