ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ

କେନ୍ଦୁଝର, ୫।୧୨(ସ୍ବ.ପ୍ର.): ସ୍ଥାନୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଜିଲା କୃଷି ଅଧିକାରୀ ଚିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଓମ ପ୍ରକାଶ ରଥ, କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ତଥା ସଂଯୋଜକ ସୁକାନ୍ତ କୁମାର ସାହୁ, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ତୁଷାର ମହାନ୍ତି, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶତପଥୀ, ମୃତ୍ତିକା ରସାୟନବିତ୍‌ ହେମନ୍ତ କୁମାର ସାମଲ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ ସମୟରେ ମାଟିର ଅବସ୍ଥା ଓ ଏହାର ସୁରକ୍ଷା କରିବାର ଆବଶ୍ୟକତା ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ସଦର ବ୍ଲକ, ଯୁଗଳ କିଶୋର ପାତ୍ର, ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଓ କର୍ମଚାରୀ ଯୋଗ ଦେଇଥିଲେ। ମୃତ୍ତିକାର ସୁରକ୍ଷା କରିବା ଓ ଭବିଷ୍ୟତ ସୁରକ୍ଷା କରିବା ଚଳିତବର୍ଷର ଥିମ ରଖାଯାଇଛି। ମାଟି ମା’ର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ସମୟରେ ମାଟିର ସୁରକ୍ଷା ଜରୁରୀ। ରସାୟନିକ ସାର ବ୍ୟବହାର ଯୋଗୁ ମାଟିର ଉର୍ବରତା ନଷ୍ଟ ହୋଇ ଉତ୍ପାଦନ ହ୍ରାସ ପାଉଥିବାରୁ ଅତିଥିମାନେ ଚିନ୍ତା ପ୍ରକଟ ପାଇଥିଲା। ଗତ ଚାରିବର୍ଷରେ ଜିଲାରେ ୪ ଲକ୍ଷ ୨୦ ହଜାର ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ମାଟି ଉପରେ ସଚେତନତା ସୃଷ୍ଟି କରି ଖାଦ୍ୟ ସାର ପରିଚାଳନା କରାଯାଉଛି। ଚାଷି ମାନଙ୍କୁ ଏନେଇ ସୁସ୍ଥ ମାଟି ପ୍ରସ୍ତୁତ ଉପରେ ସେମାନଙ୍କ ଅଞ୍ଚଳକୁ ଯାଇ ତାଲିମ ଦିଆଯାଉଥିବା କହିଛନ୍ତି। ଜିଲାରେ ୫୫ ଭାଗ ଅମ୍ଳ ମାଟି ରହିଛି। ମାଟିରେ ଅଣୁଜୀବମାନଙ୍କ ଭୂମିକା ଅଧିକ। ଏଣୁ ସେମାନଙ୍କୁ ଜୈବିକ ସାର ପ୍ରୟୋଗ କରି ଖାଦ୍ୟ ଯୋଗାଇ ଦିଆଯାଇଥାଏ ବୋଲି କହିଥିଲେ। ମାଟିର ସୁରକ୍ଷା କରା ନ ଗଲେ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହେବ। ଏଣୁ ମାଟିର ସୁରକ୍ଷା କରିବା ପାଇଁ ସମସ୍ତେ ସଚେତନ ହେବା ସହ ଶପଥ ନେବାକୁ ଆହ୍ବାନ କରାଯାଇଥିଲା। ଏହି ଅବସରରେ ଏକ ସଚେତନତା କୃଷି ଯନ୍ତ୍ରପାତି ତଥା ଜ୍ଞାନ କୌଶଳର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।