ମାଟୋଆ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୫ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଯୋଡ଼ା, ୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଦ୍ୱିତୀୟ ପଯର୍ର୍‌ୟାୟ ନିର୍ବାଚନ ନିମନ୍ତେ ଗୁରୁବାର ୫ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସଭାପତି ଆସନ ପାଇଁ ଚତୁର୍ଭୁଜ ପଲେଇ, ଉପସଭାପତି ପାଇଁ ରାଜେନ୍ଦ୍ର କୁମାର ବାରିକ, ସମ୍ପାଦକ ଆସନ ପାଇଁ ସତ୍ୟପ୍ରିୟ ବାରିକ, ଯୁଗ୍ମ ସମ୍ପାଦକ ପାଇଁ ଅଜୟ ସିହ୍ନା, କୋଷାଧ୍ୟକ୍ଷ ଆସନ ପାଇଁ ସୁରେଶ ଚନ୍ଦ୍ର ଗିରି ପ୍ରମୁଖ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ଉକ୍ତ ପ୍ରାର୍ଥୀମାନେ ଯୋଡା ଲକ୍ଷ୍ମୀ ପଡ଼ିଆସ୍ଥିତ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନାକରି ନିଜ ନିଜର ସମର୍ଥକଙ୍କୁ ନେଇ ଏକ ବିଶାଳ ବାଇକ୍‌ ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ପରେ ବାଂଶପାଣିଠାରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ) କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ନଭେମ୍ବର ୧ ରହିଛି। ଖଣି ଅଞ୍ଚଳରେ ମାଟୋଆ ନିର୍ବାଚନ ପରିବହନ ବ୍ୟବସାୟର ଏକ ପ୍ରମୁଖ ସଂଘ ନିର୍ବାଚନ ହୋଇଥିବାରୁ ଏହି ଆସନଗୁଡିକୁ ହାତେଇବା ପାଇଁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଉଦ୍ୟମ କରାଯାଉଛି।