ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍‌ ପ୍ରଭାବ ହ୍ରାସ ନିମନ୍ତେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି। ବାଗ୍‌ଚୀ କହିଛନ୍ତି, ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ସ୍ଥଗିତ ରଖାଯାଇଛି। କେବେଠୁ ଏହା ଆରମ୍ଭ ହେବ ତାହା ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବ।
ସୂଚନାଯୋଗ୍ୟ, ଗୁରୁବାରଠାରୁ ରାଜ୍ୟର ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୬ ହଜାର ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦ୍ୱାରା ପରୀକ୍ଷା ଖାତାଦେଖା ଆରମ୍ଭ ହୋଇଥିଲା। କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏପରିକି ୩ଟି ସିଫ୍ଟରେ ଶିକ୍ଷକମାନଙ୍କୁ ସକାଳ ସାଢ଼େ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖାତା ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Share