ମାଟ୍ରିକ୍‌ ପରୀକ୍ଷା: ପରୀକ୍ଷା ହଲ୍‌କୁ ମୋବାଇଲ ଫୋନ୍‌ ମନା; ପ୍ରଶ୍ନପତ୍ର ଲିକ୍‌, କପି ରୋକିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜିଲାପାଳ, ପୋଲିସ ଅଧୀକ୍ଷକ ଓ ଶିକ୍ଷା ବିଭାଗ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ରାଜ୍ୟ ଏବଂ ଜିଲାସ୍ତରରେ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରି ପ୍ରଶ୍ନପତ୍ର ଲିକ୍‌ ଓ କପିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା କେନ୍ଦ୍ର, ନୋଡାଲ୍‌ କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ମନା ଏବଂ ଏହା ନିଶ୍ଚିତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କୌଣସି ଶିକ୍ଷକ ମୋବାଇଲ ଫୋନ୍‌ ନେଇ ଯିବାର ଦେଖାଗଲେ ତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ରହିଛି। ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ-୧୯୮୮ର କଡ଼ାକଡ଼ି ଲାଗୁ କରି ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ ଓ ବିଶ୍ୱସନୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ପରୀକ୍ଷା ସମୟରେ ପୋଲିସ ପଇଁତରା ବଢ଼ାଇବା, ଉତ୍ତେଜନାପ୍ରବଣ କେନ୍ଦ୍ରମାନଙ୍କରେ ଅଧିକ ପୋଲିସ ମୁତୟନ ଏବଂ ପରୀକ୍ଷା କେନ୍ଦ୍ର ଚତୁଃପାର୍ଶ୍ୱରେ ଲୋକମାନଙ୍କ ଭିଡ଼କୁ ପୂଣ୍ଣର୍ର୍ ନିରୋଧ କରିବା ନିମନ୍ତେ ବୈଠକରେ ଉପସ୍ଥିତ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷା ସମ୍ବନ୍ଧିତ ଗୋପନୀୟ କାଗଜପତ୍ରର ପରିବହନ, ନୋଡାଲ କେନ୍ଦ୍ର ଏବଂ ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା କରିବାକୁ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଜଣାଇଥିଲେ ଯେ, ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଫେବୃୟାରୀ ୧୯ରୁ ହୋଇ ମାର୍ଚ୍ଚ ୨ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ହାଇସ୍କୁଲ୍‌, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ୍‌ ୧୦ ତାରିଖ ମଧ୍ୟରେ ହେବ। ଉତ୍ତେଜନାପ୍ରବଣ ଭାବେ ଚିହ୍ନିତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଉଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାନ୍‌ସିସ୍‌ ହାଜରା କହିଥିଲେ ଯେ, ଚଳିତ ବର୍ଷ ୫,୬୦,୯୦୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେବେ। ଏମାନଙ୍କ ମଧ୍ୟରେ ୫,୪୭,୭୬୧ ଜଣ ହାଇସ୍କୁଲ୍‌, ୯,୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ୩,୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଅଛନ୍ତି। ଏମାନଙ୍କ ପାଇଁ ସମୁଦାୟ ୨,୮୮୮ଟି ପରୀକ୍ଷା କେନ୍ଦ୍ର, ୩୦୭ଟି ନୋଡାଲ କେନ୍ଦ୍ର ଏବଂ ୬୧ ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ପରିବହନ ନିମନ୍ତେ ୬୩୧ଟି ଡେସ୍‌ପାଚ୍‌ ଟିମ୍‌ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଡେସ୍‌ପାଚ୍‌ ଶନିବାର ସୁଦ୍ଧା ସରିଛି। ଏଥିସହିତ ଦ୍ୱିତୀୟ ପର୍ଯ୍ୟାୟ ଡେସ୍‌ପାଚ୍‌ ୧୬ରୁ ଆରମ୍ଭ ହେବ। ପରୀକ୍ଷା ପରିଚାଳନାର ଆଦର୍ଶ ନିୟମାବଳୀକୁ ଠିକ୍‌ ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି। ପରୀକ୍ଷା ଉପରେ ନଜର ରଖିବା ପାଇଁ ଜିଲାସ୍ତରରେ ୬୯ଟି ଫ୍ଲାଇଂ ସ୍କାଡ୍‌ ଏବଂ ବୋର୍ଡସ୍ତରରେ ୪୪ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ଆବଶ୍ୟକ ପରିମାଣର ପୋଲିସ ପଇଁତରା ଏବଂ ସ୍କ୍ବାଡ୍‌ ଗଠନ କରିବାକୁ ମଧ୍ୟ କୁହାଯାଇଛି।

Share