ମାଟ୍ରିକ ଖାତା ଦେଖିବେ ଅଧିକ ୬ ହଜାର ଶିକ୍ଷକ: ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ମେ’ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ। ତେବେ ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିବା ବେଳେ ଏବେ ଅଧିକ ୬ ହଜାର ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ତାଲିକା ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ଖାତା ଦେଖୁଥିଲେ, ସେମାନେ ସେଇଠି ଦେଖିବେ। ଖାତାଦେଖା କେନ୍ଦ୍ରରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଓ ସାନିଟାଇଜ ବ୍ୟବହାର ବାଧ୍ୟତାମୂଳକ ରହିଛି। ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ସମ୍ପୃକ୍ତ ଶିକ୍ଷକ ଧାର୍ଯ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ। ୨୦ ଦିନ ପାଇଁ ଖାତା ଦେଖା ଯୋଜନା ରହିଥିବା ବେଳେ ଏହା ଆହୁରି ୨/୪ ଦିନ ବଢ଼ିପାରେ। ମାତ୍ର ଅଧିକ ଶିକ୍ଷକ ନିୟୋଜିତ ହେଉଥିବାରୁ ଶୀଘ୍ର ଶେଷ ହେବବୋଲି ମଧ୍ୟ ଆଶା କରାଯାଉଛି। କୌଣସି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଖାତାଦେଖା କେନ୍ଦ୍ର ନ ଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଶିକ୍ଷକମାନେ ଘରେ ଖାତା ଦେଖିବା ବ୍ୟବସ୍ଥା ନ ଥିବା ବୋର୍ଡ ସଭାପତି ରାମାଶିଷ ହାଜରା, ସମ୍ପାଦକ ନିହାର ମହାନ୍ତିଙ୍କ ସୂଚନା ଦେଇଛନ୍ତି।

Share