ମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷ

ପାଟଣା,୧୯।୨(ସ୍ବ.ପ୍ର.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଚାଲିଛି। ସମସ୍ତ ବିଷୟ ପରୀକ୍ଷା ଅଢ଼େଇ ଘଣ୍ଟା ହେବ। କେବଳ ଗଣିତ ପରୀକ୍ଷା ପାଇଁ ୧୫ ମିନିଟ ଅଧିକ ସମୟ ଦିଆଯାଇଛି। ପ୍ରଥମକରି କେତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥର ପରୀକ୍ଷା ପ୍ରଶ୍ନୋତ୍ତର ଅବ୍‌ଜେକ୍ଟିଭ୍‌ ବଦଳରେ ସବ୍‌ଜେକ୍ଟିଭ ରହିଛି।
କେନ୍ଦୁଝର ଜିଲା ପାଟଣା ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୭୫୨ ଜଣ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। କେବଳ ୨ଟି କେନ୍ଦ୍ର ମୁଖ୍ୟାଳୟ ସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଓ ଟାଙ୍ଗରପଡ଼ା ସ୍ଥିତ ଟାଙ୍ଗରପଡ଼ା ଉଚ୍ଚବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିଛି। ଏହି ସେଣ୍ଟର ଦୁଇଟିର ୩୫୬ଜଣ ପରୀକ୍ଷାର୍ଥୀ ଚାପରେ ରହିଛନ୍ତି। କ୍ୟାମେରା ଲାଗି ନ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ବିନା ଭୟରେ ପରୀକ୍ଷା ଦେବେ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ଅଭିଭାବକଙ୍କ କହିବା କଥା ହେଲା ଯଦି ସିସିଟିଭି କ୍ୟାମେରା ଲାଗୁଛି ତେବେ ସବୁ ପରୀକ୍ଷା କେନ୍ଦ୍ରରେ ଲାଗୁ। ନ ହେଲେ କୌଣସି କେନ୍ଦ୍ରରେ ନ ଲଗାଯାଉ। ପାଟଣା ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ରରେ ଏପିଆର ପୋଲିସଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ରହିଛି। ବୁଧବାର ପ୍ରଶ୍ନପତ୍ରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଧାର୍ଯ୍ୟ ସମୟରେ ପହଞ୍ଚାଯାଇଥିବା ଜଣାପଡ଼ିଛି।