ମାଟ୍ରିକ ପରୀକ୍ଷା ଲାଗି ବିଦ୍ୟୁତ୍‌ କାଟ ବନ୍ଦ ଦାବି

ଭଦ୍ରକ ଅଫିସ, ୧୭ା୨-ମାଟ୍ରିକ ପରୀକ୍ଷା ଆଉ ଗୋଟିଏ ଦିନ ଥିବାରୁ ନେସ୍କୋ ପକ୍ଷରୁ କରାଯାଉଥିବା ବିଦ୍ୟୁତ୍‌ କାଟ ବନ୍ଦ କରାଯିବାକୁ ଦାବି ହୋଇଛି। ଏପରିକି ବକେୟା ବିଦ୍ୟୁତ୍‌ ଦେୟ ସଂଗ୍ରହ ନାଁରେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ ବନ୍ଦ କରାଯାଉ ବୋଲି ଆମ୍‌ ଆଦ୍‌ମୀ ପାର୍ଟି ତରଫରୁ ଦାବି କରାଯାଇଛି। ଏନେଇ ରବିବାର ନେସ୍କୋ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ଆମ୍‌ ଆଦ୍‌ମୀ ପାର୍ଟିର କର୍ମକର୍ତ୍ତା ମାନେ ଲିଖିତ ଦାବି ଜଣାଇଛନ୍ତି। ଏପ୍ରିଲ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଛାତ୍ରୀଛାତ୍ରଙ୍କର ପରୀକ୍ଷା ଥିବାରୁ ବିଦ୍ୟୁତ୍‌ କାଟ ବନ୍ଦ କରାଯିବା ପାଇଁ ଦାବି କରାଯାଇଛି। ଭଦ୍ରକ ସହର ଏବଂ ଗ୍ରାମାଞ୍ଚଳରେ ନିରନ୍ତର ବିଦ୍ୟୁତ୍‌ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ କେବଳ ବିଦ୍ୟୁତ୍‌ କାଟକୁ ଗୁରୁତ୍ୱ ଦେଉଛି ନେସ୍କୋ। ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ଏବଂ ଭଦ୍ରକ ଜିଲାର ଫେକର ପାୱାର ପ୍ଲାଣ୍ଟ ଥିବା ବେଳେ ଭଦ୍ରକ ଜିଲାବାସୀ ବିଦ୍ୟୁତ୍‌ ସେବା ପାଇବାରେ ବଞ୍ଚତ୍ତ ହେଉଛନ୍ତି। ନେସ୍କୋର ପ୍ରଥମେ ସମସ୍ତ ସରକାରୀ ଅନୁଷ୍ଠାନ ଏବଂ ଶିଳ୍ପକେନ୍ଦ୍ର ମାନଙ୍କ ଠାରୁ ବକେୟା ପ୍ରାପ୍ୟ ଆଦାୟ କରି ତାପରେ ଘରୋଇ ଉପଭୋକ୍ତାଙ୍କୁ ନୋଟିସ୍‌ ଜାରି କରି ବିଦ୍ୟୁତ୍‌ ବିଲ୍‌ ପଇଠ କରିବା ପାଇଁ ସମୟ ଦେଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏଥିରେ ବ୍ୟତିକ୍ରମ ହେଲେ ଭଦ୍ରକ ଜିଲାବାସୀଙ୍କ ସ୍ବାର୍ଥ ପାଇଁ ରାଜରାସ୍ତାକୁ ଦଳ ଓହ୍ଲାଇବ ବୋଲି ଦାବି କରାଯାଇଛି। ଜିଲା ସଭାପତି ବିକାଶ ରଞ୍ଜନ ଜେନା, ଚାନ୍ଦବାଲି ଆବାହକ ରାକେଶ ପଣ୍ଡା, ନାରୀନେତ୍ରୀ ମୈତ୍ରୀ ମଲ୍ଲିକ, ବାସୁଦେବପୁର ଆବାହକ ସାଇଗୋପୀନାଥ ପଣ୍ଡା ଉପସ୍ଥିତ ରହି ଗବସାହି ସ୍ଥିତ ନେସ୍କୋ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଥିଲେ।