ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଏବିଭିପିର ଏତଲା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ହେଲେ ଭାଇରାଲ ପ୍ରଶ୍ନପତ୍ର ଅସଲି ନୁହେଁ ନକଲି ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏବିଭିପି ପକ୍ଷରୁ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ପୂର୍ବରୁ ଅନେକ ଥର ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଣୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏତଲାରେ ଦର୍ଶାଯାଇଛି। ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଭୁବନେଶ୍ୱର ମହାନଗର ସମ୍ପାଦକ ସମ୍ବିତ ରାଉତ ଓ ଅନ୍ୟ କେତେଜଣ କାର୍ଯ୍ୟକର୍ତ୍ତା ଏତଲା ଦେବାକୁ ଥାନାକୁ ଯାଇଥିଲେ।

Share