ମାଡ଼ି ଆସୁଛି ‘ବାରୀ’ ପ୍ରବଳ ବର୍ଷା ସହ ହେବ ଭୂସ୍ଖଳନ

ଓ୍ବାଶିଂଟନ,୧୪।୭: ଆମେରିକାର ଲୁଇସିଆନା ସହରରେ ଘୂର୍ଣ୍ଣିବାତ୍ୟା ‘ବାରୀ’ର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିବା ଅନୁମାନ କରାଯାଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଟଲାଣ୍ଟିକ ସିଜନର ଏହି ପ୍ରଥମ ଝଡ ଏବେ ଏକ ଟ୍ରପିକାଲ ଷ୍ଟ୍ରର୍ମରେ ପରିଣତ ହୋଇଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ଉପୁଜିବା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବା କହିଛି ଆମେରିକା ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୁଇସିଆନାର ରାଜ୍ୟପାଳ କହିଛନ୍ତି ରବିବାର ରାତିରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବନ୍ୟା ହେବା ସମ୍ଭାବନା ଥିବାରୁ ପାଖାପାଖି ୩ ହଜାର ନ୍ୟାସନାଲ ଗାର୍ଡ ଓ ଅନ୍ୟ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ୨୦୦୫ରେ ଲୁଇସିଆନା ସହରରେ ‘କ୍ୟାଟରିନା’ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ୧୪ ବର୍ଷ ପରେ ପୁଣି ଥରେ ତାଣ୍ଡବ ରଚିବାକୁ ପହଞ୍ଚିଛି ‘ବାରୀ’। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲୁଇସିଆନା ସହରରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି।

Share