ମାଡ଼ି ଆସୁଛି ବିପଦ: ୭ମ ଥର ପାଇଁ ସମ୍ପୂର୍ଣ୍ଣ ଧ୍ୱଂସ ହେବ ପୃଥିବୀ !

ଓ୍ବାଶିଂଟନ,୧୭।୯ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିବେଶ ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ପୃଥିବୀ ପୁଣି ଧ୍ୱଂସ ମୁହାଁ ହେବାରେ ଲାଗିଛି। ଏହା ପୂର୍ବରୁ ପୃଥିବୀ ୬ଥର ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସାରିଛି। ଏବେ ୭ମ ଥର ପାଇଁ ସେହି ବିପଦ ମାଡ଼ି ଆସୁଛି ବୋଲି ଆମେରିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଗବେଷକ ସୂଚନା ଦେଇଛନ୍ତି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଶେଷ ଥର ପାଇଁ ୨୬ କୋଟି ବର୍ଷ ତଳେ ପୃଥିବୀ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ପରେ ଏହା ଉପରେ ପୁଣି ଥରେ ଜୀବଜଗତ ଗଢ଼ିଉଠିଛି। ଏହା ପୂର୍ବରୁ ଘଟିଥିବା ୬ଟି ଘଟଣାରେ ପରିବେଶ ସନ୍ତୁଳନରେ ଅଚଳାବସ୍ଥା ଯୋଗୁ ଜୀବଜଗତ ଲୋପ ପାଇଯାଇଥିଲା। ଏବେ ପୁଣି ଥରେ ସେହିପରି ସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପ୍ରଫେସର ମିଶେଲ ରିମ୍ମିନୋ ସୂଚନା ଦେଇଛନ୍ତି। ପୂର୍ବରୁ ହୋଇଥିବା ଧ୍ୱଂସ ଘଟଣାରେ ଉଲକାପାତ, ଭୂକମ୍ପ ଏବଂ ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁ ଉତ୍ତପ୍ତ ତରଳ ଲାଭା ପୃଥିବୀ ଉପରେ ପ୍ରବାହିତ ହୋଇଥିଲା। ଫଳରେ ଜୀବଜଗତ ନଷ୍ଟ ହୋଇଯାଇଥିଲା। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share